ପଞ୍ଚତତ୍ତ୍ବରେ ଗଢ଼ା ମାନବ ଶରୀର ।  ଅଗ୍ନି, ବାୟୁ, ଆକାଶ, ପୃଥିବୀ ଓ ଜଳରେ ସମଗ୍ର ସୃଷ୍ଟି, ବିଶ୍ବ ବ୍ରହ୍ମାଣ୍ଡର ନିର୍ମାଣ । ଏଇଠୁ ଆରମ୍ଭ ପୁଣି ଏଇଠି ବିଲୀନ । ଏହାକୁ ଆପଣ ଚମତ୍କାର ମନେକରୁଛନ୍ତି କି ?  ନା ଏହା ଚମତ୍କାର ନୁହେଁ ବରଂ ବିଜ୍ଞାନ । ବାସ୍ତବ ଚମତ୍କାର ଉପରେ ତ ଆପଣ କେବେ ଧ୍ୟାନ ଦିଅନ୍ତିନି !

ଜୀବନର ଆଧାର ପଞ୍ଚତତ୍ତ୍ୱ

ଆପଣ ସୁସ୍ଥ କିମ୍ବା ଅସୁସ୍ଥ, ଆପଣ ସୁଖି କିମ୍ବା ଦୁଃଖି, ଆପଣ କେତେ ବୁଦ୍ଧିମାନ ଏସବୁକିଛି ନିର୍ଭର କରେ ପଞ୍ଚତତ୍ତ୍ବ ଉପରେ । ଶରୀରରେ ପଞ୍ଚତତ୍ତ୍ବର ସନ୍ତୁଳନ ତୁଟିଲେ କଥା ଶେଷ ।  ଯଦି ପଞ୍ଚତତ୍ତ୍ବର ପରିମାଣ କମ୍ କିମ୍ବା ବେଶୀ ହୁଏ ଅସୁସ୍ଥ ହୁଏ ଶରୀର । କିନ୍ତୁ ଯଦି ଆପଣ ପଞ୍ଚମହାଭୂତ ବା ପଞ୍ଚତତ୍ତ୍ବକୁ ବୁଝି ଯାଆନ୍ତି ଏବଂ ପଞ୍ଚତତ୍ତ୍ବକୁ ନିୟନ୍ତ୍ରଣ କରିବାର ଦକ୍ଷତା ହାସଲ କରନ୍ତି, ତେବେ ଏହା ନିଶ୍ଚିତ ଭାବେ ଆପଣଙ୍କ ପାଇଁ ହେବ କ୍ରାନ୍ତିକାରୀ ନିଷ୍ପତ୍ତି । 

ଭୂମିରାପୋନଲୋ ବାଯୁଃ ଖଂ ମନୋ ବୁଦ୍ଧିରେବ ଚ|
ଅହଙ୍କାର ଇତୀଯଂ ମେ ଭିନ୍ନା ପ୍ରକୃତିରଷ୍ଟଧା||ଭଗବତ ଗୀତା|୭.୪||

ପଞ୍ଚମହାଭୂତ, ଅଷ୍ଟତତ୍ତ୍ବ ପଚିଶି ପ୍ରକୃତି ହିଁ ଆମ ଜୀବନକୁ ନିର୍ମାଣ କରିଥାଏ । ଜଳ, ବାୟୁ, ଆକାଶ, ପୃଥିବୀ ଅଗ୍ନି ତତ୍ତ୍ବ ସହ ମନ, ବୁଦ୍ଧି ଏବଂ ଅହଂକାରର ସମାହାରକୁ କୁହାଯାଏ ଅଷ୍ଟତତ୍ତ୍ବ । ବୈଦିକ ସାଂଖ୍ୟ ଦର୍ଶନରେ ପ୍ରକୃତି ପଞ୍ଚମହାଭୂତରୁ ସୃଷ୍ଟି ହୋଇଥିବା କୁହାଯାଇଛି । ପଞ୍ଚତତ୍ତ୍ବର ବ୍ୟାଖ୍ୟା, ପଞ୍ଚ ମହାଭୂତର ନିୟନ୍ତ୍ରଣ, ପଞ୍ଚତତ୍ତ୍ବ ସାଧନା କରିବାର ଉପାୟ ବିଷୟରେ ଜାଣିବାକୁ ଏହି ଆଲେଖ୍ୟକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ  ଓ ବୁଝନ୍ତୁ । 

ଶରୀର ଗଠନର ମୂଳ ଉପାଦାନ `ପଞ୍ଚମହାଭୂତ' 

ମାନବ ଶରୀରର ୭୨ ପ୍ରତିଶତ ଜଳ, ୧୨ ପ୍ରତିଶତ ସ୍ଥଳ, ୬ ପ୍ରତିଶତ ବାୟୁ, ୪ ପ୍ରତିଶତ ଅଗ୍ନି ଓ ଅବଶିଷ୍ଠାଂଶ ୬ ପ୍ରତିଶତ ଶୂନ୍ୟତାରେ ଭରିଛି । ବ୍ରହ୍ମାଣ୍ଡ ନିର୍ମାଣ ପାଇଁ ମଧ୍ୟ ସମାନ ଆଧାର ଗ୍ରହଣ କରିଛନ୍ତି ସୃଷ୍ଟିକର୍ତ୍ତା । ଅର୍ଥାତ ବ୍ରହ୍ମାଣ୍ଡରେ ମଧ୍ୟ ୭୨ ପ୍ରତିଶତ ଜଳ, ୧୨ ପ୍ରତିଶତ ସ୍ଥଳ, ୬ ପ୍ରତିଶତ ବାୟୁ, ୪ ପ୍ରତିଶତ ଅଗ୍ନି ଓ ଅବଶିଷ୍ଠାଂଶ ୬ ପ୍ରତିଶତ ଶୂନ୍ୟ । ବ୍ରହ୍ମାଣ୍ଡର ନିର୍ମାଣ ଓ ଶରୀର ନିର୍ମାଣରେ ସାମ୍ୟତା ଦୃଷ୍ଟିରୁ ଶରୀରକୁ ଆୟୂର୍ବେଦରେ ବ୍ରହ୍ମାଣ୍ଡର ସଂକ୍ଷିପ୍ତ ରୂପ ବା ପିଣ୍ଡ କୁହାଯାଏ । 

“ଛିତୀ ଜଲ ପାବକ ଗଗନ ସମୀରା, ପଞ୍ଚ ରଚିତ ଅତି ଅଧମ ଶରୀରା”- ଏହା ରାମଚରିତମାନସର କିସ୍କିନ୍ଧ୍ୟା କାଣ୍ଡର ଏକ ଚୌପାଇ । ଯେଉଁଥିରେ ପଞ୍ଚତତ୍ତ୍ବର ମହତ୍ବ ଦର୍ଶାଇଛନ୍ତି ଗୋସ୍ବାମୀ ତୁଳସୀ ଦାସ । ଯାହାର ଅର୍ଥ ପୃଥିବୀ, ଜଳ, ଅଗ୍ନି,  ବାୟୁ ଓ ଆକାଶ ତତ୍ତ୍ୱରେ ହିଁ ଗଠନ ହୋଇଛି ଆମ ଶରୀର । ଏହି ପଞ୍ଚତତ୍ତ୍ୱର ସଂଯୋଗରେ ଶରୀରର ପୋଷଣ ହୋଇଥାଏ ଏବଂ ପରିଶେଷରେ ସେହି ପଞ୍ଚତତ୍ତ୍ୱରେ ହିଁ ବିଲୀନ ହୋଇଥାଏ । ସେଥିପାଇଁ ଯୋଗଶାସ୍ତ୍ରରେ ପଞ୍ଚତତ୍ବକୁ ପଞ୍ଚମହାଭୂତ କୁହାଯାଏ । ପ୍ରାଚୀନ ଭାରତର ମୁନୀ ଋଷି ପଞ୍ଚତତ୍ତ୍ୱ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ପ୍ରଦାନ କରିଛନ୍ତି । ଯାହାକୁ ଧୀରେଧୀରେ ବିଜ୍ଞାନ ବୁଝିବା ଆରମ୍ଭ କରିଛି।

ଭଗବାନ ଓ ପଞ୍ଚମହାଭୂତ

ଆୟୁର୍ବେଦରେ ମାଟି, ପାଣି, ପବନ, ନିଆଁ ଓ ଆକାଶକୁ ଶରୀରର ମୂଳ ତତ୍ତ୍ୱ ଭାବେ ବର୍ଣ୍ଣନା କରାଯାଇଛି । ପଞ୍ଚତତ୍ବକୁ ସରଳ ଭାବେ ବୁଝାଇବାକୁ ମୁନି ଋଷି ଭଗବାନ ବୋଲି କହିଛନ୍ତି - ଭଗବାନ ଶବ୍ଦର ପ୍ରକୃତ ଅର୍ଥ ହିଁ ପଞ୍ଚ ମହାଭୂତ ।

'ରୁ ଭୂମି

'ରୁ ଗଗନ

'ରୁ ବାୟୁ

'ରୁ ଅଗ୍ନି

ଏବଂ 'ରୁ ନୀର ଅର୍ଥାତ ପାଣି


ପଞ୍ଚତତ୍ତ୍ବର ଗୁଣ ଓ ଧର୍ମ

ପାଣି (ଜଳ)

ଜୀବନର ମହତ୍ବପୂର୍ଣ୍ଣ ତତ୍ତ୍ବ ମଧ୍ୟରେ ଜଳ ଅନ୍ୟତମ । ଜଳବିନା କିଛି ଘଣ୍ଟା, କିଛି ଦିନ ମଧ୍ୟରେ ଜୀବନର ସମାପ୍ତି ହେବା ନିଶ୍ଚିତ । ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ନାହିଁ, ଏଥିପାଇଁ କି ସେଠାରେ ପାଣି ନାହିଁ । ଏବେବି ଅନ୍ୟ ଗ୍ରହରେ ଜଳର ସନ୍ଧାନ ଜାରି ରହିଛି । ବାସ୍ତବରେ ଜଳ କେବଳ ଜୀବନଦାୟୀ ନୁହେଁ, ନିଜେ ଜୀବନ ଅଟେ । କାରଣ ଜଳ ମଧ୍ୟରେ ସ୍ମରଣ ଶକ୍ତି ରହିଛି । ପାଣିକୁ ଦେଖି ଆପଣଙ୍କ ମନରେ ଯେପରି ବିଚାର ସୃଷ୍ଟି କରିବେ, ପାଣି ଠିକ୍ ସେହିପରି ଆପଣଙ୍କ ଶରୀର ପାଇଁ କାର୍ଯ୍ୟ କରିବ । କିଛି ମାତ୍ରାରେ ବୈଜ୍ଞାନିକ ପଦ୍ଧତିରେ ଏହା ପ୍ରମାଣିତ ହୋଇସାରିଛି । ବିଚାର ଅନୁସାରେ ଜଳର ଗୁଣ ପରିବର୍ତ୍ତନ, ଜଳକୁ ଛୁଇଁବା ପରେ ଏହାର ଆଣବିକ ସଂରଚନା ମଧ୍ୟ ବଦଳି ଯାଇଥାଏ । ବିନା ମୂଲ୍ୟରେ ଉପଲବ୍ଧ ହେଉଥିଲେ ବି ଜଳର ପ୍ରକୃତ ମୂଲ୍ୟ ହିଁ ଅମୂଲ୍ୟ । ଭୂପୃଷ୍ଠରେ ଉପଲବ୍ଧ ୭୨ ପ୍ରତିଶତ ଜଳ ମଧ୍ୟରୁ ମାତ୍ର ୧ ପ୍ରତିଶତ ପାନୀୟ ଯୋଗ୍ୟ ଜଳ । ଜଳରେ ନିହିତ ଗୁଣ ଯୋଗୁ ଯୋଗଶାସ୍ତ୍ରରେ ଜଳ ପ୍ରତି କୃତଜ୍ଞତା ଓ ସମ୍ମାନ ଭୂତଶୁଦ୍ଧିର ମୁଖ୍ୟ ଅଂଗ ଭାବେ ଗଣନା କରାଯାଏ । ଏହାକୁ ଜଳ ସାଧନା ମଧ୍ୟ କୁହାଯାଏ ।  

ମାଟି (ପୃଥିବୀ)

ମାଟି ସେହି ତତ୍ତ୍ବ, ଯାହା ଅନ୍ୟ ସମସ୍ତ ତତ୍ତ୍ବକୁ ବିକଶିତ କରିଥାଏ ଏବଂ ଆଧାର ବନିଥାଏ । କୋଟି କୋଟି ଜୀବଙ୍କ ଜୀବନ ଧାରଣର ମୁଖ୍ୟ ମାଧ୍ୟମ ହିଁ ମାଟି । ମାଟିରୁ ଉତ୍ପନ୍ନ ଅନ୍ନ ଦ୍ବାରା ପେଟ ଭରିଥାଏ । ପିଇବାକୁ ପାଣି ମିଳିଥାଏ । ବାୟୁ ମଧ୍ୟ ପୃଥିବୀର ବାତାବରଣରୁ ମିଳିଥାଏ । ସାଧାରଣ ମାନବ ନିଜ ଶରୀର ଓ ମନକୁ ତ ଅନୁଭବ କରିପାରେ କିନ୍ତୁ ନିଜ ଭିତରରେ ମାଟି ତତ୍ତ୍ବକୁ ଅନୁଭବ କରିପାରିନଥାଏ । କିନ୍ତୁ ପିଣ୍ଡରୁ ପ୍ରାଣ ଛାଡ଼ିଯିବା ପରେ ସେହି ମାଟି ହିଁ ତାକୁ କୋଳେଇ ନେଇଥାଏ । ନିଜ ଭିତରେ ମିଶେଇ ଦେଇଥାଏ । 

ଆକାଶ (ଶୂନ୍ୟ)

ଆକାଶକୁ ଖାଲି ସ୍ଥାନ ବା ଶୂନ୍ୟସ୍ଥାନ ଭାବି ନେବା ଠିକ ନୁହେଁ । ବାସ୍ତବରେ ଏହା ଅସ୍ତିତ୍ବର ସୂଷ୍ମରୂପ । ଯାହା ନିତ୍ୟ, କିନ୍ତୁ ଦର୍ଶନଯୋଗ୍ୟ ନୁହେଁ । ଅସ୍ତିତ୍ବହୀନତା ଯୋଗୁ ଆକାଶ ତତ୍ବକୁ ଶିବ କୁହାଯାଏ, ଅର୍ଥାତ- ଯାହା ନାହିଁ ତାହା ହିଁ ଶିବ । ଏଥିପାଇଁ ଭାରତୀୟ ଦର୍ଶନରେ ଶୂନକୁ ଶୂନ୍ୟ ନୁହେଁ ବରଂ ନିର୍ବିକଳ୍ପ କୁହାଯାଏ । ଯେଉଁଠି ଉଭୟ ଆକାର ଓ ନିରାକାର ମମ୍ମିଶ୍ରିତ, ଅସ୍ତି ଓ ନାସ୍ତିର ମିଳନ । ଆକାଶ ତତ୍ତ୍ବ ହିଁ ସମସ୍ତ ତତ୍ତ୍ବକୁ ସନ୍ତୁଳିତ କରି ରଖିଥାଏ । ଏହା ବାୟୁମଣ୍ଡଳ ଏବଂ ବ୍ରହ୍ମାଣ୍ଡକୁ ସ୍ଥାୟିତ୍ବ ଦେଇଥାଏ ।

ନିଆଁ (ଅଗ୍ନି)

ଭାରତୀୟ ସଂସ୍କୃତିରେ ଅଗ୍ନି ତତ୍ତ୍ବକୁ ଅଗ୍ନିଦେବ ରୂପେ ପୂଜା କରାଯାଏ । ଯେଉଁ ଦେବତା ଦ୍ବିମୁଖି ହେବା ସହ ଚତୁର୍ଦ୍ଦିଗକୁ ବ୍ୟାପ୍ତି ସହ ଉଗ୍ରରୂପ ଧାରଣ କରିଥିବା ବାହନ ଉପରେ ସବାର ହୋଇଥାନ୍ତି । ଏହା ଅଗ୍ନି ତତ୍ତ୍ବର ପ୍ରତୀକାତ୍ମକ ରୂପ । କାରଣ ଅଗ୍ନି ତତ୍ତ୍ବ ହିଁ ଜୀବନକୁ ବଞ୍ଚାଇ ରଖେ ଏବଂ ଜୀବନକୁ ନେଇପାରେ । ଯେତେବେଳ ଯାଏ ଆମ ଶରୀରର ଅନ୍ତର୍ଦେଶରେ ଅଗ୍ନି ଜଳୁଥାଏ, ସେପର୍ଯ୍ୟନ୍ତ ଜୀବନ ଥାଏ । ଯଦି ସେହି ଅଗ୍ନି ଲିଭି ଯାଏ, ଜୀବନ ଦୀପ ବି ଲିଭିଯାଏ । ଭୂପୃଷ୍ଠରେ ଏହି ଶକ୍ତି ଆମକୁ ସୂର୍ଯ୍ୟଙ୍କଠାରୁ ମିଳିଥାଏ । ପୃଥିବୀ ପୃଷ୍ଠରେ ସଜୀବ ଓ ନିର୍ଜୀବ କେବଳ ଅଗ୍ନି ଶକ୍ତିର ଉପସ୍ଥିତି ଓ ଅନୁପସ୍ଥିତିକୁ ହିଁ ବୁଝାଇଥାଏ । 

ପବନ (ବାୟୁ)

ବାୟୁର ମୁଖ୍ୟଗୁଣ ହେଉଛି ଗତିଶୀଳତା । ଏହା କେବଳ ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନର ମିଶ୍ରଣ ନୁହେଁ । ପଞ୍ଚତତ୍ତ୍ବକୁ ପରସ୍ପର ସହ ସଂଯୁକ୍ତ କରିବାର ମାଧ୍ୟମ ହି ବାୟୁ ତତ୍ତ୍ବ । ଅନ୍ୟ ତତ୍ତ୍ବ ଅପେକ୍ଷା ଶରୀରରେ ବାୟୁ ତତ୍ତ୍ବକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ । ଯୋଗଶାସ୍ତ୍ରରେ ଏଥିପାଇଁ ପ୍ରାଣାୟାମକୁ ବେଶ୍ ଗୁରୁତ୍ବ ଦିଆଯାଏ । ଶରୀରରେ ପ୍ରାଣବାୟୁର ଗତିଶୀଳତା ପ୍ରାଣକୁ ଜୀବନ୍ତ ରଖିଥାଏ ।  

ପଞ୍ଚତତ୍ତ୍ବ ଓ ସ୍ବାଦ ଇନ୍ଦ୍ରୀୟ

ଆଚାର୍ଯ୍ୟ ଚରକ ଏହି ପଞ୍ଚତତ୍ତ୍ବର ସଂଯୋଗରେ ସମସ୍ତ ସ୍ବାଦର ନିର୍ମାଣ ହୋଇଥିବା କହିଛନ୍ତି । ଚରକ ସଂହିତା ଗ୍ରନ୍ଥରେ ପଞ୍ଚତତ୍ତ୍ବ ଓ ସ୍ବାଦର ବର୍ଣ୍ଣନା ରହିଛି । ପ୍ରମୁଖ ତତ୍ତ୍ବର ମିଶ୍ରଣରେ ସ୍ବାଦସୁତ୍ର ଦେଇଛନ୍ତି ଆଚାର୍ଯ୍ୟ ଚରକ । 

ମଧୁର(Sweet)- ପୃଥିବୀ+ଜଳ

କ୍ଷାର(Sour)-ପୃଥିବୀ+ଅଗ୍ନି

ଲୁଣି(Salty)-ଜଳ+ଅଗ୍ନି

ତିକ୍ତ (Bitter)- ବାୟୁ+ଆକାଶ

କଟୁ(Pungent)-ବାୟୁ+ଅଗ୍ନି

କଷା(Astringent)- ବାୟୁ+ପୃଥିବୀ

ପ୍ରକୃତିର ପାଞ୍ଚ ତତ୍ତ୍ବ , ଗୁଣ ଓ ଇନ୍ଦ୍ରୀୟ

ସମସ୍ତ ତତ୍ତ୍ବର ନିଜସ୍ବ ଗୁଣ ରହିଛି । 

ଆକାଶ ତତ୍ତ୍ବର ଗୁଣ ଶବ୍ଦ (Sound)  । ଆମେ କାନ ମାଧ୍ୟମରେ ଯେଉଁ ଶବ୍ଦ ଶୁଣିପାରନ୍ତି, ଏହା ତରଙ୍ଗ ଦ୍ବାରା କାନ ପାଖରେ ପହଞ୍ଚିଥାଏ । ଆକାଶ ମହାଭୂତ କର୍ଣ୍ଣ ଇନ୍ଦ୍ରୀୟକୁ କାର୍ଯ୍ୟକ୍ଷମ କରିଥାଏ ।

ବାୟୁ ତତ୍ତ୍ବର ଗୁଣ ତରଙ୍ଗ ସଂଚାର (Touch) । କୌଣସି ଶବ୍ଦକୁ ଆମ କାନ ନିକଟରେ ପହଞ୍ଚାଇଥାଏ ବାୟୁ ତରଙ୍ଗ । ଏହାସହିତ ବାୟୁର ଅନ୍ୟତମ ଗୁଣ ସ୍ପର୍ଶ । ଯାହା ଆମ ଶରୀରର ଚର୍ମରେ ରହିଥାଏ । ଏହାଦ୍ବାରା ଆମେ ଶାରୀରିକ ଅନୁଭବ ଆହରଣ କରିପାରନ୍ତି ।

ଅଗ୍ନିର ଗୁଣ ଉର୍ଦ୍ଧ୍ବମୁଖି (Vision) । ଦଶଦିଗକୁ ବ୍ୟାପ୍ତି ସହ ଅଗ୍ନି ସବୁବେଳେ ଉର୍ଦ୍ଧ୍ବମୁଖି ହୋଇଥାଏ । ଅଗ୍ନି ଗୁଣ ମଧ୍ୟରେ ଶବ୍ଦ, ସ୍ପର୍ଶ ସହ ରୂପ ଦର୍ଶନ ଅର୍ଥାତ ଚକ୍ଷୁ ମାଧ୍ୟମରେ ଦେଖି ପାରୁଥିବା ଯେକୌଣସି ଆକାର ।  ଚକ୍ଷୁ ଇନ୍ଦ୍ରୀୟକୁ କାର୍ଯ୍ୟକ୍ଷମ କରିଥାଏ ଅଗ୍ନି ତତ୍ତ୍ବ ।

ଜଳ ତତ୍ତ୍ବର ଗୁଣ ସିକ୍ତ ଓ ପ୍ରବହମାନ (Taste) । ଏହା ମଧ୍ୟ ଶବ୍ଦ, ସ୍ପର୍ଶ, ଆକାର ସହ ସ୍ବାଦକୁ ନିର୍ଣ୍ଣୟ କରିଥାଏ । ଯାହା ଆମ ସ୍ବାଦନ୍ଦ୍ରୀୟକୁ ସକ୍ରିୟ ରଖିଥାଏ । 

ସେହିପରି ପୃଥିବୀ ତତ୍ତ୍ବର ମୁଖ୍ୟ ଗୁଣ ଗୁଡ଼ିକ ହେଉଛି ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ (Smell) । ନାକ ଦ୍ବାରା ସୁଗନ୍ଧ ଓ ଦୁର୍ଗନ୍ଧ ବାରି ପାରିବାର ଶକ୍ତି ପୃଥିବୀ ତତ୍ତ୍ବର ଅନ୍ୟତମ ଗୁଣ । ଘ୍ରାଣେନ୍ଦ୍ରୀୟକୁ କାର୍ଯ୍ୟକ୍ଷମ କରିଥାଏ ପୃଥିବୀ ତତ୍ତ୍ବ ।

ତ୍ରିଦୋଷ ଓ ପଞ୍ଚ ମହାଭୂତ ସମ୍ବନ୍ଧ

ଶରୀରରେ ବାତ ପିତ ଓ କଫ ଦୋଷର ସୃଷ୍ଟି କରିଥାଏ ପଞ୍ଚମହାଭୂତ ।   

ବାତ ପ୍ରକୃତିର ଶରୀରକୁ ଆକାଶ ଓ ବାୟୁ ତତ୍ତ୍ବ ସର୍ବାଧିକ ପ୍ରଭାବିତ କରିଥାଏ

ପିତ୍ତ ପ୍ରକୃତିର ଶରୀରକୁ ଅଗ୍ନି ଓ ଜଳ ତତ୍ତ୍ବ ପ୍ରଭାବିତ କରେ

ସେହିପରି କଫ ପ୍ରକୃତିର ଶରୀରକୁ ଜଳ ଓ ପୃଥିବୀ ତତ୍ତ୍ବ ପ୍ରଭାବିତ କରିଥାଏ ।

ତ୍ରିଗୁଣ ଓ ପଞ୍ଚମହାଭୂତ ସମ୍ବନ୍ଧ

ଶୁଶ୍ରୁତ ସଂହିତାରେ ତ୍ରିଗୁଣ ସହ ପଞ୍ଚମହାଭୂତ ସମ୍ବନ୍ଧ ବିଷୟରେ ବର୍ଣ୍ଣିତ ହୋଇଛି । 

ଆଚାର୍ଯ୍ୟ ଶୁଶ୍ରୁତଙ୍କ ଅନୁସାରେ  ପ୍ରତି ଗୁଣ ଏକ ନିର୍ଦ୍ଦିଷ୍ଟ ଭୂତକୁ ପ୍ରଭାବିତ କରେ । ସତ୍ତ୍ବଗୁଣ ଆକାଶ ତତ୍ତ୍ବକୁ ପ୍ରଭାବିତ କରୁଥିବାବେଳେ ରଜଗୁଣ ବାୟୁ ତତ୍ତ୍ବକୁ ପ୍ରଭାବିତ କରେ । ସେହିପରି ତମ ଗୁଣ ପୃଥିବୀ ତତ୍ତ୍ବକୁ ପ୍ରଭାବିତ କରେ । 

ପୃଥିବୀ ମହାଭୂତ ତମଗୁଣୀ ହୋଇଥିବାବେଳେ ଜଳ ମହାଭୂତ ସତ୍ତ୍ବ ଓ ତମଗୁଣୀ । ଅଗ୍ନି ମହାଭୂତ ସତ୍ତ୍ବ ଓ ତମ ଗୁଣୀ । ବାୟୁ ମହାଭୂତ ରଜ ଗୁଣୀ ଏବଂ ଆକାଶ ମହାଭୂତ ସତ୍ତ୍ବ ଗଣ ଧର୍ମୀ ହୋଇଥାଏ । 

ଭୂତ ଓ ପଞ୍ଚମହାଭୂତ

ପଞ୍ଚ ଭୂତର ସମାହାରକୁ କୁହାଯାଏ ପଞ୍ଚମହାଭୂତ

ସଂସ୍କୃତରେ ଭୂତ ଶବ୍ଦ ଭୂ ଧାତୁ ଏବଂ କ୍ତ ପ୍ରତ୍ୟୟରୁ ଆସିଛି

ଏହାର ଅର୍ଥ ଜୀବନ ଧାରଣ

`ସର୍ବଂ ଦ୍ରବ୍ୟଂ ପାଞ୍ଚଭୌତିକତ୍ବମ'- ଅର୍ଥାତ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ତତ୍ତ୍ବରେ ସଂସାରର ନିର୍ମାଣ ।

ଭୂତଶୁଦ୍ଧି:  ପଞ୍ଚମହାଭୂତ ସାଧନା 

ପଞ୍ଚମହାଭୂତ ପ୍ରତି ଆପଣଙ୍କ ମନୋଭାବ, ବ୍ୟବହାର ଉପରେ ନିର୍ଭର କରେ ଆପଣଙ୍କ ଶରୀରରେ ପଞ୍ଚତତ୍ତ୍ବର ପ୍ରଭାବ । ଯଦି ଶରୀରରେ ପଞ୍ଚଭୂତ ସନ୍ତୁଳିତ, ଶରୀର ସ୍ବାଭାବିକ ଭାବେ ସୁସ୍ଥ । ଅସୁସ୍ଥତାର ଅର୍ଥ ପଞ୍ଚତତ୍ତ୍ବର ଅସନ୍ତୁଳନ । ପ୍ରକୃତି ସହ ଆପଣଙ୍କ ସମ୍ପର୍କ ଯେତେ ମଜଭୁତ ହେବ, ଆପଣ ଭିତରେ ସେତିକି ଶକ୍ତିଶାଳୀ ବନିବେ । ପ୍ରକୃତି, ଜୀବ, ଜନ୍ତୁ, ଉଦ୍ଭିଦ ଆପଣଙ୍କ ସହ ସମ୍ପର୍କ ଯୋଡିବାକୁ ଚାହାନ୍ତି, ବାସ୍ ଆପଣ କେବଳ ସମ୍ବେଦଳଶୀଳ ହେବା ଦରକାର । ପ୍ରକୃତି ସହ ସମ୍ପର୍କ ଯେତେ ଗଭୀର ହେବ, ଜୀବନ ଆପଣଙ୍କ ପାଇଁ ସେତିକି ସରଳ ହେବ । ଏହା ହିଁ ଗୁପ୍ତସୁତ୍ର । 

ଜଳ ତତ୍ତ୍ବ: ଆମ ଶରୀରର ୭୦ ପ୍ରତିଶତରୁ ଅଧିକ ଜଳ । ଜଳ ବିନା ବଞ୍ଚିବା ଅସମ୍ଭବ । ଅଧିକାଂଶ ଲୋକ ପାଣିକୁ ଅତି ସାଧାରଣ ମନେ କରନ୍ତି । ବିନା ମୂଲ୍ୟରେ ମିଳୁ ଥିବାରୁ ଖାମଖିଆଲି ଭାବେ ଜଶର ବ୍ୟବହାର କରନ୍ତି । ଏକଥା ଭୁଲି ଯାଆନ୍ତି କି ଏହି ଜଳ ହିଁ ଜୀବନର ମୁଖ୍ୟ ଉପାଦାନ । ପାଣି ପିଇବା ଯୋଗୁ ଜୀବନ ବଞ୍ଚିଥାଏ । ବାହାରେ ଥିବା ସାଧାରଣ ଜଳକୁ ପିଇବା ପରେ ଏହା ଆମ ଶରୀରର ଅଂଶ ବନିଯାଏ । ଜଳ ସାଧନାର ଅର୍ଥ, ଆପଣ ଯଦି ଆପଣଙ୍କ ଜୀବନକୁ ସଂପୂର୍ଣ୍ଣ ଜୀଇଁବାକୁ ଚାହୁଁଛନ୍ତି । ଜୀବନ ନିର୍ମାଣକାରୀ ଉପାଦାନ ଜଳକୁ ମଧ୍ୟ ଶସ୍ତା ଭାବନ୍ତୁନି । ସଚେତନ ଭାବେ ଜଳକୁ ଦେଖନ୍ତୁ, ଶ୍ରଦ୍ଧା ଭାବ ସହ ଜଳ ଗ୍ରହଣ କରନ୍ତୁ । ଏହା ଜଳ ପ୍ରତି ସମ୍ମାନ ପ୍ରଦର୍ଶନ ନୁହେଁ ବରଂ ଆପଣଙ୍କ ନିଜ ଜୀବନ ପ୍ରତି ସମ୍ମାନ । ଆପଣଙ୍କ ସୁବିଚାର ଓ ଦୃଷ୍ଟିଭଙ୍ଗୀ, ଜଳର ଗୁଣବତ୍ତାକୁ ମଧ୍ୟ ଆଣିକ ସ୍ତରରେ ପରିବର୍ତ୍ତନ କରିବାକୁ ସକ୍ଷମ । ଆପଣଙ୍କ ଶ୍ରଦ୍ଧାଭାବ ଯୋଗୁ ଜଳ ମଧ୍ୟ ଆପଣଙ୍କ ଶରୀରରେ ସୁପ୍ରଭାବ ପକାଇବ । ଅନ୍ୟମନସ୍କ ଭାବେ ନୁହେଁ ବରଂ ଧୀରେଧୀରେ ପାଣିର ପ୍ରତି ଢୋକକୁ ଅନୁଭବ କରି ପିଇବା ଆବଶ୍ୟକ । ଏହାପରେ ହିଁ ଆପଣ ପାଣିର ସ୍ବାଦ ଜାଣିପାରିବେ । ଯାହାକୁ ଆଜିଯାଏ ଆପଣ ସ୍ବାଦହୀନ ମନେକରୁଥିଲେ, ସେହି ଜଳ କେତେ ସ୍ବାଦିଷ୍ଟ, ଆପଣ ଅନୁଭବ କରିପାରିବେ।

ବାୟୁ ତତ୍ତ୍ବ: ଜୀବନ ଧାରଣ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଉପାଦାନ ବାୟୁ । ପ୍ରତି ମୁହୂର୍ତ୍ତରେ ଶ୍ବାସକ୍ରିୟା ଚାଲିଥିଲେ ବି ଆମେ କେତେ ସଚେତନ ଥାଆନ୍ତି ଏହି କ୍ରିୟାକୁ ନେଇ । ପ୍ରତି ମିନିଟରେ ମଣିଷ ପ୍ରାୟ ୧୩ରୁ ୧୫ ଥର ଶ୍ବାସକ୍ରିୟା ସମ୍ପାଦନ କରିଥାଏ । ବାୟୁ ଦ୍ବାରା ହିଁ ପଞ୍ଚବାୟୁ ଶରୀରରେ ସଂଚାର ହୋଇଥାଏ । ଅପାନ, ସମାନ, ପ୍ରାଣ, ଉଦାନ ଓ ବ୍ୟାନ ବାୟୁ ଶରୀରକୁ ସଜୀବ ରଖିଥାଏ। ଜୀବନ୍ତ ସତ୍ତାର ସବୁଠାରୁ ବଡ଼ ପ୍ରମାଣ ହିଁ ଶ୍ବାସକ୍ରିୟା ।  ସୂକ୍ଷ୍ନ ରୂପରେ ଶରୀରକୁ ବାୟୁ ପୋଷକ ତତ୍ତ୍ବ ମଧ୍ୟ ଯୋଗାଇଥାଏ । ସଚେତନ ଶ୍ବାସକ୍ରିୟା ସମ୍ପାଦନ ସହ ବାୟୁ ପ୍ରତି ଶ୍ରଦ୍ଧାଭାବକୁ ହିଁ କୁହାଯାଏ ବାୟୁ ସାଧନା । ଏଥିପାଇଁ ଯୋଗ ଶାସ୍ତ୍ରରେ ପ୍ରାଣାୟାମକୁ ଦିଆଯାଏ ଗୁରୁତ୍ବ । ଶରୀରକୁ ଶୁଦ୍ଧ କରିବାର ସବୁଠାରୁ ବଡ଼ ମାଧ୍ୟମ ହେଉଛି ବାୟୁ । ଜୀବନ ପାଇଁ ପ୍ରତି କ୍ଷଣରେ ଆମେ ପ୍ରକୃତି ଉପରେ ନିର୍ଭରଶୀଳ । 

ଆକାଶ ତ୍ତତ୍ତ୍ବ: ମନୋଭାବ ଅନୁସାରେ ଆକାଶରୁ ମନକୁ ଉତ୍ତରି ଆସେ ବିଚାର । ଭାବନା ବା କଳ୍ପନା ଆମ ମନକୁ ଆପେଆପେ ଆସି ନଥାଏ । ବରଂ ଆମେ ଯେଉଁପରି ଆମର ମନୋଭୂମି ନିର୍ମାଣ କରିଥାନ୍ତି, ସେହି ଅନୁସାରେ ବିଚାର ମନକୁ ଆସିଥାଏ ।  ଜନ୍ମରୁ ଆସିଯାଏ ,ସେସବୁ ରହେ କେଉଁଠି ? ଅନେକ କଥା ମନେ ରହିଯାଏ । ଅନେକ କଥା ଆମେ ଭୁଲିଯାଆନ୍ତି । କିଛି ସମୟରେ ମନକୁ ସୁଚିନ୍ତା ଆସେ ପୁଣି କିଛି ସମୟ ପରେ କୁଚିନ୍ତା ବି ଆସେ । ଆମ ଭାବନା ହିଁ ଆମକୁ ଖୁସି କରେ ପୁଣି ଡରାଏ, କନ୍ଦାଏ । ଏସବୁ ଆକାଶ ତତ୍ତ୍ବର ଖେଳ । ଆଖି ଖୋଲିଲେ ଯେଉଁ ଅନନ୍ତ ଆକାଶକୁ ଆମେ ଦେଖନ୍ତି, ତାହା ବାସ୍ତବରେ ଶୂନ୍ୟ ନୁହେଁ । ସୁକ୍ଷ୍ମ ରୂପରେ ଶକ୍ତିକୁ ଧାରଣ କରିଥାଏ ଆକାଶ । ସବୁ ତତ୍ତ୍ବକୁ ଆକାର ଦେଇଥାଏ ବୋଲି ସେ ନିରାକାର । ଯୋଗୀଙ୍କ ମନରେ ବୈରାଗ୍ୟ ଭରେ, ପୁଣି ସଂସାରୀ ମନରେ ଲୋଭ ଜନ୍ମାଏ । ଅନ୍ତଃକରଣ ସୁଦ୍ଧ ନହେବା ଯାଏ ସଦଭାବନା ମନକୁ ଆସିନଥାଏ । ଏଥିପାଇଁ ଲୋଡ଼ା ପଡେ ଆକାଶ ସାଧନା ।

ପୃଥିବୀ ତତ୍ତ୍ବ: ଖାଦ୍ୟ ଗ୍ରହଣ ପୂର୍ବରୁ ଖାଦ୍ୟକୁ ପ୍ରଣାମ କରିବା ଭାରତୀୟ ସଂସ୍କୃତିରେ ସାଧାରଣ । କିନ୍ତୁ କାହିଁକି ପ୍ରଣାମ କରାଯାଏ ? ଆମ ଶରୀର ଯଦି ମୂଲ୍ୟବାନ, ଯେଉଁ ଖାଦ୍ୟ ଆମ ଶରୀର ନିର୍ମାଣ କରୁଛି, ତାହା ସାଧାରଣ ହେବ କିପରି ।  ଖାଦ୍ୟ ପ୍ରତି ବିଚାରରେ ପରିବର୍ତ୍ତନ ଆସିବା ଜରୁରୀ । ଖାଦ୍ୟ କେବଳ କ୍ଷୁଧା ମେଣ୍ଟାଇବା ପାଇଁ ନୁହେଁ ବରଂ ଖାଦ୍ୟ ଶରୀରର ନିର୍ମାଣକାରୀ ଉପାଦାନ । ତେଣୁ ଖାଦ୍ୟ ସୁଦ୍ଧା ବା ସାତ୍ତ୍ବିକ ହେବା ଅତ୍ୟନ୍ତ ଆବଶ୍ୟକ । ପୃଥିବୀ ତତ୍ତ୍ବ ସହ ପ୍ରତ୍ୟକ୍ଷ ସମ୍ପର୍କ ହିଁ ଆମ ଶରୀରରେ ଶକ୍ତି ସଂଚାରକୁ ସୁଗମ କରିଥାଏ । ଏଥିପାଇଁ ପ୍ରାତଃକାଳରେ ଖାଲି ପାଦରେ ଚାଲିବା ଆବଶ୍ୟକ । ଏହା ସାଧାରଣ କ୍ରିୟା ନୁହେଁ, ଅଦୃଶ୍ୟ ଭାବେ ଶରୀରରୁ ବିଷ ହରଣ ସହ ପ୍ରକୃତି ଜୀବନକୁ ସତେଜତା ପ୍ରଦାନ କରିଥାଏ । ବର୍ତ୍ତମାନ ସମୟରେ ତଥାକଥିତ ଶିକ୍ଷିତ ବର୍ଗର ଲୋକଙ୍କ ପାଦ କେବେ ମାଟିକୁ ଛୁଉଁନି । ମାଟି ତାଙ୍କ ପାଇଁ ଅସ୍ପୃଶ୍ୟ । ଏହାର ଭୟଙ୍କର ପରିଣାମ ଆପଣ ଆଜି ଦେଖୁଛନ୍ତି । ଆଖିକୁ ସୁସ୍ଥ ଦେଖା ଯାଉଥିବା ଶରୀର ବାସ୍ତବରେ ରୋଗର ଭଣ୍ଡାର । ପ୍ରକୃତିଠୁ ଦୂରେଇ ଯାଇଥିବା ଜୀବନ ପାଇଁ , ଏହା ହିଁ ତ କର୍ମଫଳ ।

ଅଗ୍ନି ତତ୍ତ୍ବ: ଯେ ପର୍ଯ୍ୟନ୍ତ ଶରୀରରେ ଅଗ୍ନି ତତ୍ତ୍ବ ସକ୍ରିୟ, ସେପର୍ଯ୍ୟନ୍ତ ଆମେ ସଜୀବ । ଅନ୍ତର୍ଦେଶରେ ନିଆଁ ଲିଭିଲେ, ଜୀବନ ଶେଷ । ଜଠର ଅଗ୍ନି ଯୋଗୁ ଜୀବନକୁ ଜୀବନ ମିଳିଥାଏ । ତେଣୁ ଅଗ୍ନି ତତ୍ତ୍ବ ପ୍ରତି ଆମ ବିଚାର ମଧ୍ୟ ଆସ୍ତିକ ହେବା ଜରୁରୀ । ଏଥିପାଇଁ ପ୍ରକୃତି ପୂଜକ ଭାରତୀୟଙ୍କ ପାଇଁ ସୂର୍ଯ୍ୟ ପୂଜା ଥିଲା ବାସ୍ତବରେ ଜୀବନର ପୂଜା ।  

ପ୍ରତି ତତ୍ତ୍ବକୁ କାର୍ଯ୍ୟକ୍ଷମ କରିବାକୁ ଲୋଡ଼ା ପଡ଼ିଥାଏ ଅଗ୍ନି ତତ୍ତ୍ବ । ଏଥିପାଇଁ ଭାରତୀୟ ସଂସ୍କୃତିରେ ଯଜ୍ଞକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ବ ।  

ଅଙ୍ଗୁଳିରେ ପ୍ରକୃତିର ପଞ୍ଚତତ୍ତ୍ବ

ପଞ୍ଚତତ୍ତ୍ଵକୁ  ନେଇ ଆମ ଶରୀର ଗଢା । ଆମର ପାଞ୍ଚ ଆଙ୍ଗୁଠି ଏହି ତତ୍ତ୍ଵର ପ୍ରତିନିଧିତ୍ୱ କରିଥାଏ । ପଞ୍ଚ ତତ୍ତ୍ଵ ପାଞ୍ଚଟି ଚକ୍ର ସହିତ ଜଡିତ । ପ୍ରତି ଚକ୍ର ଶହେଟି ନାଡିକୁ ସକ୍ରିୟ କରି ଶରୀରରେ ଜୀବନ ଶକ୍ତି ସଞ୍ଚାଳନ କରିଥାନ୍ତି । ଯୋଗ ଶାସ୍ତ୍ରରେ ବିଭିନ୍ନ ମୁଦ୍ରାର ପ୍ରୟୋଗ ଦ୍ଵାରା ଚକ୍ରକୁ ଜାଗ୍ରତ କରାଯାଇଥାଏ । ପୃଥିବୀ ତତ୍ତ୍ଵ ମୂଳାଧାର ଚକ୍ର, ଜଳ ତତ୍ତ୍ଵ ସ୍ଵାଧିଷ୍ଠାନ ଚକ୍ର, ଅଗ୍ନି ତତ୍ତ୍ଵ ମଣିପୁର ଚକ୍ର, ବାୟୁ ତତ୍ତ୍ଵ ଅନାହତ ଚକ୍ର ଏବଂ ଆକାଶ ତତ୍ତ୍ବ ବିଶୁଦ୍ଧି ଚକ୍ର ସହ  ସମ୍ବନ୍ଧିତ । ପଞ୍ଚ ତତ୍ତ୍ବ ଶରୀରରେ ୭୨,୮୬୪ ନାଡିକୁ ସକ୍ରିୟ ରଖିଥାଏ । କନିଷ୍ଠା ଅଙ୍ଗୁଳି ଜଳ ତତ୍ତ୍ବ ବହନ କରୁଥିବାବେଳେ ଅନାମିକା ଅଙ୍ଗୁଠି  ପୃଥିବୀ ତତ୍ତ୍ବକୁ ବହନ କରିଥାଏ । ସେହିପରି ମଧ୍ୟମା ଅଙ୍ଗୁଳି ଆକାଶ ତତ୍ତ୍ବ, ତର୍ଜନୀ ବାୟୁ ତତ୍ତ୍ବ ଏବଂ ବୃଦ୍ଧାଙ୍ଗୁଠି ଅଗ୍ନି ତତ୍ତ୍ବକୁ ଧାରଣ କରିଥାଏ । 

ପ୍ରକୃତିର ପଞ୍ଚତତ୍ତ୍ୱ ଓ ପଞ୍ଚମହାଭୂତର ସ୍ବରୂପ

ପ୍ରତ୍ୟେକ ତତ୍ତ୍ଵର ପାଞ୍ଚଟି ଲେଖାଏ ସ୍ଵରୂପ ରହିଛି

୧.ଅଗ୍ନି ମହାଭୂତ ଶାରୀରିକ କ୍ରିୟା ସଂଚାଳନ କରିଥାଏ । ଅଗ୍ନି ମହାଭୂତର ୫ଟି ସ୍ବରୂପ-

  • ଭୋକ
  • ଶୋଷ
  • ନିଦ୍ରା
  • ଆଳସ୍ୟ
  • ମୁଖମଣ୍ଡଳ

୨.ବାୟୁ ମହାଭୂତ ଶାରୀରିକ କ୍ରିୟା ସଂଚାଳନ କରିଥାଏ । ବାୟୁ ମହାଭୂତର ୫ଟି ସ୍ବରୂପ-

  • ଦୌଡି଼ବା
  • ଡେଇଁବା
  • ଚାଲିବା
  • ବହିବା
  • ବୁଲିବା

୩.ଆକାଶ ମହାଭୂତ ମାନସିକ ବିଚାର ସୃଷ୍ଟି କରିଥାଏ । ଆକାଶ ମହାଭୂତର ୫ଟି ସ୍ବରୂପ-

  • କାମ
  • କ୍ରୋଧ
  • ଲୋଭ
  • ମୋହ
  • ଭୟ

୪.ପୃଥିବୀ ମହାଭୂତ ଶରୀରରେ ଜୈବିକ ଅବୟବ ନିର୍ମାଣ କରିଥାଏ । ପୃଥିବୀ ମହାଭୂତର ୫ଟି ସ୍ବରୂପ-

  • ହାଡ଼
  • ମାଂସ
  • ଚର୍ମ
  • ନାଡି
  • ଲୋମ

୫.ଜଳ ମହାଭୂତ ଶରୀରରେ ଜଳ କ୍ରିୟା ସଂଚାଳନ କରିଥାଏ । ଜଳ ମହାଭୂତର ୫ଟି ସ୍ବରୂପ-

  • ରକ୍ତ
  • ବିର୍ଯ୍ୟ
  • କଫ
  • ମୁତ୍ର
  • ଝାଳ

ଜ୍ୟୋତିଷ ଶାସ୍ତ୍ରରେ ପ୍ରକୃତିର ପଞ୍ଚ ମହାଭୂତ ସହ ଗ୍ରହ ସମ୍ପର୍କ 

ଜଳ ତତ୍ତ୍ବର ସ୍ବାମୀ ଚନ୍ଦ୍ର ଓ ଶୁକ୍ର

ପୃଥିବୀ ତତ୍ତ୍ବର ସ୍ବାମୀ ବୁଧ

ଆକାଶ ତତ୍ତ୍ବର ସ୍ବାମୀ ଗୁରୁ

ବାୟୁ ତତ୍ତ୍ବର ସ୍ବାମୀ ଶନି

ଅଗ୍ନି ତତ୍ତ୍ବର ସ୍ବାମୀ ସୂର୍ଯ୍ୟ ଓ ମଙ୍ଗଳ