ପ୍ରକୃତିର ତ୍ରିଗୁଣ ସତ୍ତ୍ବ ରଜ ଓ ତମ

ଆମ ଶରୀରଠୁ ଦୁନିଆରେ ବଡ଼ ରହସ୍ୟ ଆଉ କଣ ଥାଇପାରେ । ସଂସାରରେ ୭ ଶହ କୋଟିରୁ ଅଧିକ ମନୁଷ୍ୟ ଥିଲେ ବି କେହି କାହା ପରି ନୁହଁନ୍ତି । ସମସ୍ତଙ୍କର ଗୁଣ ସ୍ବତନ୍ତ୍ର ।  କିଏ ସକରାତ୍ମକ ତ କିଏ ନକରାତ୍ମକ । ବିବିଧତାରେ ପୂର୍ଣ୍ଣ ବିଶ୍ବ । ବିବିଧ ଗୁଣରେ ନିହିତ ମାନବ ପ୍ରଜାତିର ବିକାଶ । ଦୁନିଆରେ ଏତେ ସଂଖ୍ୟକ ମନୁଷ୍ୟ ଅଛନ୍ତି, ଏହା କୌଣସି ଆଶ୍ଚର୍ଯ୍ୟଜନକ ତଥ୍ୟ ନୁହେଁ । କିନ୍ତୁ ପ୍ରତି ମନୁଷ୍ୟ ସମାନ ଉପାଦାନରେ ଗଢ଼ା ହୋଇଥିଲେ ବି ବିବିଧ ବିଶେଷତା ହିଁ ସବୁଠାରୁ ବଡ଼ ରହସ୍ୟ । ପ୍ରକୃତିର ତ୍ରିଗୁଣ, ତ୍ରିଦୋଷ ଅନ୍ତଃକରଣ ହିଁ ବିଶେଷତାର କାରକ । ଯୋଗ, ତନ୍ତ୍ର ଓ ଜ୍ୟୋତିଷ ସିଦ୍ଧାନ୍ତରେ ପଞ୍ଚଭୂତ, ପ୍ରକୃତିର ତିନି ଗୁଣରେ ମାନବ, ସମଗ୍ର ଜୀବଜଗତ ଏପରିକି ବ୍ରହ୍ମାଣ୍ଡର ନିର୍ମାଣ ହୋଇଥାଏ  । ଏହି ଧାରା ଚାଲିଥାଏ । ବ୍ୟଷ୍ଟିରୂପରେ ହେଉ କି ସମଷ୍ଟି ରୂପରେ, ଜଗତ ପ୍ରକୃତିର ଗୁଣସୁତ୍ରରେ ବାନ୍ଧି ହୋଇ ରହିଥାଏ ।  

ସତ୍ତ୍ବଗୁଣ ରଜୋଗୁଣ ଓ ତମୋଗୁଣ କଣ?

ମନ, ବୁଦ୍ଧି, ଅହଂକାର ଓ ଚିତ୍ତକୁ ହିଁ କୁହାଯାଏ ଅନ୍ତଃକରଣ । ଏହା ମୂଳରୂପରେ ସାତ୍ତ୍ବିକ, ଇନ୍ଦ୍ରୀୟ ରଜଗୁଣୀ ଏବଂ ଶରୀର ତମୋଗୁଣୀ । ଏଥିପାଇଁ ପ୍ରକୃତିକୁ ତ୍ରିଗୁଣାତ୍ମକ ବା ତ୍ରିଗୁଣୀ କୁହାଯାଏ । ତମୋଗୁଣର ଅର୍ଥ ଜଡ଼ତା, ତାମସିକତା, ଅନ୍ଧକାର, ଆଳସ୍ୟ ଓ ଅଜ୍ଞାନ । ରଜୋଗୁଣର ଅର୍ଥ ଚଞ୍ଚଳତା, ସୃଜନଶୀଳତା, କ୍ରୋଦ୍ଧ, ଦ୍ବେଷ ଓ ଲୋଭ । ସେହିପରି ସାତ୍ତ୍ବିକର ଅର୍ଥ ଶୁଦ୍ଧତା, ସାତ୍ତ୍ବିକତା ଓ ନିର୍ମଳତା । ସତ୍ତ୍ବ, ରଜ ଓ ତମ ଏହି ତିନି ଗୁଣରେ ଆମ ଶରୀର, ଇନ୍ଦ୍ରୀୟ ଓ ଅନ୍ତଃକରଣର ହୋଇଥାଏ ନିର୍ମାଣ । 

ପଞ୍ଚଭୂତ ଓ ତ୍ରିଗୁଣ ମଧ୍ୟରେ କଣ ସମ୍ବନ୍ଧ?

ବାହ୍ୟ ଜଗତରେ ଆମେ ଯାହା ବି ଦେଖିପାର  ନ୍ତି, ଯେଉଁ ଭୌତିକ ଜଗତରେ ବାସକରନ୍ତି, ତାହା ମଧ୍ୟ ଏହି ତିନି ଗୁଣର ମିଶ୍ରଣର ଫଳ । ଯେଉଁ ଉଦ୍ଭିଦକୁ ଆପଣ ଦେଖୁଛନ୍ତି, ତାହା ବି ତ୍ରିଗୁଣୀ । ଗଛର ଶରୀର ତମୋଗୁଣ । ରଜୋଗୁଣ ଯୋଗୁ ଗଛ ବଢ଼ିଥାଏ, ଶାଖା ପ୍ରଶାଖା ମେଲାଇଥାଏ, ଫୁଲ ଫୁଟେ, ଫଳ ହୁଏ । ରଜଗୁଣ ହିଁ ଗଛକୁ ସବୁ ସମୟରେ ପରିବର୍ତ୍ତନ କରୁଥାଏ । ଯେଉଁ ବୁଦ୍ଧିମତାରେ ସଂପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହୁ୍ଏ, ତାହା ହିଁ ସତ୍ତ୍ବ ଗୁଣ ।  

ବୃକ୍ଷ, ପଶୁ, ମାନବ, କୀଟ, ପତଙ୍ଗ, ବର୍ଷା, ବାଦଲ, ପାହାଡ଼, ପର୍ବତ, ସୂର୍ଯ୍ୟ, ଚନ୍ଦ୍ର, ନଦୀ, ଝରଣା ଯାହାବି ଦେଖ ସବୁ ତ୍ରିଗୁଣର ଅଧୀନ । ନଦୀକୁ ଦେଖିବେ ତ ତାହା ମଧ୍ୟରେ ବି ତିନି ଗୁଣକୁ ଦେଖିପାରିବେ । ତମୋଗୁଣ କାରଣରୁ ଜଳ ଦୃଶ୍ୟମାନ ବା ସ୍ଥୁଳ । ପାଣିକୁ ଛୁଇଁଲେ ହାତ ହୁଏ ସିକ୍ତ, ଏହା ହିଁ ରଜ ଗୁଣ । ଏବଂ ତୃଷା ମେଣ୍ଟାଇବାର ଗୁଣ ହିଁ ସତ୍ତ୍ବ ଗୁଣ । 

ଯୋଗ ଦର୍ଶନରେ  ପଞ୍ଚଭୂତରେ ଗଢ଼ା ପିଣ୍ଡ ଓ ବ୍ରହ୍ମାଣ୍ଡ ତ୍ରିଗୁଣଧର୍ମୀ । ଯେବେଠାରୁ ସୃଷ୍ଟିର ଆରମ୍ଭ, ସେବେଠୁ ଏହି ମହାତତ୍ତ୍ବ ବା ବୁଦ୍ଧିମତାରେ ଚାଲିଆସିଛି ଜୀବନଚକ୍ର । କର୍ମ, ଜୀବନଧାରା କାଳକ୍ରମେ ବନିଯାଇଛି ସଂସ୍କାର । ଯେଉଁ ଧାରାରେ କ୍ରମାନ୍ବୟରେ ଚାଲିଛି ସୃଷ୍ଟି, ବୃଦ୍ଧି ପୁଣି ବିନାଶ । ଇତିହାସଠୁ ବି ପୁରୁଣା ଜୀବନର ଧାରା । ନା କାହାକୁ ବି ଜଣାଅଛି ଆଦି ନା ଅନ୍ତ । ସେଥିପାଇଁ ତ ସେ ସତ୍ୟ ସନାତନ, ଚିରନ୍ତନ । 

ଭଗବତ ଗୀତାରେ ତ୍ରିଗୁଣ କଣ?

ମନୁଷ୍ୟ ମନର ଏହି ସଂଶୟକୁ ଦୂର କରିବାକୁ ତିନି ଥର ବିଶ୍ବରୂପ ଦେଖାଇଛନ୍ତି ଯୋଗେଶ୍ବର ଶ୍ରୀକୃଷ୍ଣ ।  କୁରୁକ୍ଷେତ୍ର ଯୁଦ୍ଧଭୂଇଁରେ ଅର୍ଜୁନଙ୍କୁ, କୌରବ ସଭାରେ ଦୁର୍ଯ୍ୟୋଧନଙ୍କୁ ଏବଂ ମାତା ଯଶୋଦାଙ୍କୁ  ଦେଖାଇଥିଲେ ବିଶ୍ବରୂପ । ବଜ୍ରତାନରେ କହିଥିଲେ ଭଗବାନ ଶ୍ରୀକୃଷ୍ଣ- ``ମିତାହମସ୍ୟ ଜଗତୋ'' । ଅର୍ଥାତ୍ ଏହି ଜଗତର ମୁଁ ହିଁ ସୃଷ୍ଟିକର୍ତ୍ତା । ``ମମୈବାଂଶୋ ଜୀବଲୋକେ ଜୀବଭୂତଃ ସନାତନ''- ଅର୍ଥାତ୍ ମୋଠାରୁ ଉତ୍ପନ୍ନ ଜୀବନ ଓ ଜଗତ । ଯେଉଁ ସୁତ୍ରରେ ପ୍ରାଚୀନରୁ ନବୀନ ଯାଏ ସମସ୍ତେ ବନ୍ଦୀ । ଉତ୍ପନ୍ନ ହୁଅନ୍ତି, ଜୀବନ ଜୀଅଁନ୍ତି ପୁଣି ମରି ଯାଆନ୍ତି । ପୁଣି ନୂଆ ଜୀବନର ସୃଷ୍ଟି । ଏହି ଧାରା ଚାଲିଆସିଛି ଆବାହମାନ କାଳରୁ । ତେବେ ଏହି ଜୀବନ ଚକ୍ରର ଅନ୍ତ କେଉଁଠି ? 

ଯୋଗସୁତ୍ର ଓ ତ୍ରିଗୁଣ ସିଦ୍ଧାନ୍ତ କଣ?

ଏଇଠୁ ଆରମ୍ଭ ହୁଏ ଜୀବନ ଗଣିତ । ମାନସାଙ୍କ ବି ଲାଗେ ଜଟିଳ ଉପପାଦ୍ୟ । ଗଣିତରେ ଏକରେ ଏକ ଯୋଗହେଲେ ହୁଏ ଦୁଇ କିନ୍ତୁ ଆଧ୍ୟାତ୍ମିକତାରେ ତଲ୍ଲୀନ ହେବା ପରେ ଅସଂଖ୍ୟ ଏକର ସମାହାର ସେହି ଏକ ହୋଇ ରହିଯାଏ । ଯୋଗ ଜୀବନକୁ ଯୋଡେ ପରମାତ୍ମାଙ୍କ ସହ । ଯେଉଁଠି ନଥାଏ କୌଣସି ବିଭେଦ । ଯେପର୍ଯ୍ୟନ୍ତ  ଜୀବ ସମାଧିକୁ ପ୍ରାପ୍ତ କରି ସ୍ବରୂପସ୍ଥ ନହୋଇଛି, ସେପର୍ଯ୍ୟନ୍ତ ଜାରି ରହିଥାଏ ଜୀବନ ଚକ୍ରର ଧାରା । ଏଥିପାଇଁ ତ ଆବଶ୍ୟକ ପଡ଼େ ଯୋଗ । ଜରୁରୀ ହୋଇପଡ଼େ ଯୋଗସୁତ୍ରର ଯମ ଓ ନିୟମ । ପ୍ରକୃତିର ନିୟମ ଅନୁସାରେ ଜୀବନକୁ ସୁସଂହତ କରିବାକୁ ସତ୍ୟଦ୍ରଷ୍ଟା ହୁଅନ୍ତି ସାଧକ ।  ଅନ୍ତଃକରଣ ସତ୍ୟ ପ୍ରତି ହୁଏ ଉନ୍ମୁଖ । ଏକାତ୍ମତାର ଏହି ଯାତ୍ରାରେ ପ୍ରକୃତି ହିଁ ସାଜେ ବାଧକ । ସତ୍ୟ ଉପରେ ସବାର ହୁଏ, ମାୟା ମୋହ ଓ ଅଂହକାରର ବୋଝ । ତମୋଗୁଣ ଓ ରଜୋଗୁଣର ଶକ୍ତ ଶୃଙ୍ଖଳରୁ ବାହାରିବାକୁ ଯେଉଁ ଶକ୍ତି ଲୋଡ଼ାପଡ଼େ, ତାକୁ ହିଁ କୁହାଯାଏ ଯୋଗଶକ୍ତି ।  ନିଜ ସହ ନିଜର ଲଢେଇରେ ସତ୍ତ୍ବଗୁଣ ଜିତିଲେ ମିଳେ ସିଦ୍ଧି ।  


Image by: aryamargayoga

ସଚିଦାନନ୍ଦ କାହାକୁ କୁହାଯାଏ?    

ସତ୍ତ୍ବ, ରଜ ଓ ତମ ସୁତ୍ରରେ ସମସ୍ତ ଯୋଡ଼ି ହୋଇ ରହିଛନ୍ତି ସୃଷ୍ଟିକର୍ତ୍ତାଙ୍କ ସହ । ଯୋଗ ଦର୍ଶନ ଅନୁସାରେ ବ୍ରହ୍ମାଣ୍ଡକୁ ଯଦି ଦୁଇ ଭାଗରେ ବିଭକ୍ତ କରାଯାଏ, ତାହା ହେଉଛି ପ୍ରକୃତି ଓ ପୁରୁଷ । ପ୍ରକୃତି ପରିବର୍ତ୍ତନଶୀଳ, ଅସ୍ଥିର । ଯାହାକୁ ମାୟା କୁହାଯାଏ । ସେହିପରି ସ୍ଥିରତା ଓ ବାସ୍ତବତାର ପ୍ରତିନିଧିତ୍ବ କରେ ପୁରୁଷ । 

ଯୋଗ ସାଧନାର ମୁଖ୍ୟ ଲକ୍ଷ୍ୟ ମାୟା ମୋହକୁ ଅତିକ୍ରମ କରି ଦିବ୍ୟ ଜୀବନ ପ୍ରାପ୍ତି । ଦିବ୍ୟ ଚେତନାକୁ ଜାଗ୍ରତ କରିବାକୁ ସର୍ବପ୍ରଥମେ ଅନ୍ତରକୁ ସ୍ଥିର କରିବାକୁ ପଡ଼ିଥାଏ । ଯେପରି ପୁଷ୍କରଣୀର ସ୍ଥିର ଜଳରେ  ପଦ୍ମ ନାଡ଼ ଦେଖାଯାଏ, ଠିକ୍ ସେହିପରି ମନ ସ୍ଥିର ହେବାପରେ ମାନବ ମାୟାମୁକ୍ତ ହୋଇ ନିଜ ଭିତରେ ହିଁ ପରମ ସତ୍ୟର ଦର୍ଶନ କରି ସତ-ଚିତ୍-ଆନନ୍ଦ ପ୍ରାପ୍ତ କରିଥାନ୍ତି ।

ଖାଦ୍ୟ କିପରି ତ୍ରିଗୁଣକୁ ପ୍ରଭାବିତ କରେ?

ପ୍ରକୃତିର ତ୍ରିଗୁଣ ପ୍ରତି ମୁହୂର୍ତ୍ତରେ ଜୀବନକୁ ପ୍ରଭାବିତ କରିଥାଏ । ମାନବିକ ଆବେଗ, ବିଚାର, ଭାବନା ତ୍ରିଗୁଣ ଉପରେ ନିର୍ଭରଶୀଳ ।  ଜନ୍ମରୁ ଶରୀରରେ ମହଜୁଦ ତ୍ରିଗୁଣ ପରିବେଶ ଓ ଖାଦ୍ୟ ଗୁଣ ଅନୁସାରେ ହୋଇଥାଏ କ୍ରିୟାଶୀଳ । 

ସାତ୍ତ୍ବିକ ଖାଦ୍ୟ କଣ?

କେବଳ ପ୍ରକୃତି ଉତ୍ସରୁ ମିଳୁଥିବା ଖାଦ୍ୟକୁ ସାତ୍ତ୍ବିକ ଖାଦ୍ୟ କୁହାଯାଏ ।  ପନିପରିବା, ଫଳ, ଫୁଲ, ମଞ୍ଜିକୁ ସାତ୍ତ୍ବିକ ଖାଦ୍ୟ କୁହାଯାଏ । କ୍ଷୀର, ଦହି, ଘିଅ ଓ ଲହୁଣୀ ଜୀବ ଉତ୍ସରୁ ମିଳୁଥିଲେ ବି ଏହାକୁ ସାତ୍ତ୍ବିକ ବର୍ଗରେ ରଖାଯାଏ । କିନ୍ତୁ ଏକଥା ଅବଶ୍ୟ ଧ୍ୟାନ ରଖିବାକୁ ପଡ଼ିବ ଯେ ଏହି ଖାଦ୍ୟ ସମସ୍ତଙ୍କ ପାଇଁ ନୁହେଁ । ନିର୍ଦ୍ଦିଷ୍ଟ ସମୟରେ , ନିର୍ଦ୍ଦିଷ୍ଟ ଶାରୀରିକ କାରଣ ଯୋଗୁ  କ୍ଷୀର, ଦହି, ଘିଅ ଓ ଲହୁଣୀକୁ ସାତ୍ତ୍ବିକ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଶରୀର ଉପରେ ସାତ୍ତ୍ବିକ ଖାଦ୍ୟର ସୁପ୍ରଭାବ ପଡ଼ିଥାଏ । ଶରୀର ନିରୋଗ ରହିବା ସହ ମନ ଶାନ୍ତ ରହିଥାଏ ।

ରାଜସିକ ଖାଦ୍ୟ କଣ?

କେବଳ ଜିଭକୁ ସ୍ବାଦିଷ୍ଟ ଲାଗୁଥିବା ପ୍ରୋସେସ୍ଡ ଫୁଡ, ଫାଷ୍ଟ ଫୁଡ ସହିତ ଅନ୍ୟ ବିଦେଶୀ ଖାଦ୍ୟ ଗୁଡ଼ିକୁ ରାଜସ ଖାଦ୍ୟ କୁହାଯାଏ । ପିଆଜ, ରସୁଣ, ଅଣ୍ଡା, ଚା, କଫି, ଆଚାର, ଅଣ୍ଡାକୁ ରାଜସ ବର୍ଗରେ ରଖାଯାଏ । ରାଜସ ଖାଦ୍ୟ ମୁଖ୍ୟତଃ ଶରୀରରେ ପାଚନ ସମସ୍ୟା ସୃଷ୍ଟି କରିଥାଏ । ଭୋକ ମେଣ୍ଟୁଥିଲେ ବି ମନରେ ସନ୍ତୋଷ ଭାବ ଆସିନଥାଏ ।

ତାମସିକ ଖାଦ୍ୟ କଣ?

ଶରୀରକୁ ନିଶାଗ୍ରସ୍ତ ଓ ଆଳସ୍ୟଗ୍ରସ୍ତ କରୁଥିବା ଖାଦ୍ୟକୁ ତାମସିକ ଖାଦ୍ୟ କୁହାଯାଏ । ମଦ, ମାଛ, ମାଂସ, ଛତୁକୁ ତାମସିକ ଖାଦ୍ୟ ପର୍ଯ୍ୟାୟରେ ରଖାଯାଏ । ତାମସିକ ଖାଦ୍ୟକୁ ହଜମ କରିବାକୁ ପାଚନତନ୍ତ୍ର ଉପରେ ପ୍ରବଳ ଚାପ ପଡ଼ିଥାଏ । ମନରେ ବିକାର, କ୍ରୋଦ୍ଧ, ଘୃଣା, ଅସନ୍ତୁଷ୍ଟତା ବୃଦ୍ଧି ପାଇଥାଏ ।  

ସାତ୍ତ୍ବିକ ପର୍ଯ୍ୟାୟର ଖାଦ୍ୟକୁ ଅଧିକ ସମୟ ଗରମ କରିବା, କିମ୍ବା ଖାଦ୍ୟରେ ଲଙ୍କା ପରି ବିଭିନ୍ନ ମସଲା ମିଶ୍ରଣ କରିବା ପରେ ଏହା ରାଜସିକ ଖାଦ୍ୟକୁ ପରିବର୍ତ୍ତିତ ହୋଇଯାଇଥାଏ । ଅର୍ଥାତ ସାତ୍ତ୍ବିକ ଖାଦ୍ୟର ସାତ୍ତ୍ବିକତା ନଷ୍ଟ ହୋଇଯାଏ । ଅନ୍ୟ କୌଣସି ରସାୟନର ମିଶ୍ରଣ ସାତ୍ତ୍ବିକ ଖାଦ୍ୟକୁ ବି ତାମସିକ କରିଥାଏ ।


Image By: arhantayoga

ସମସ୍ତଙ୍କ ଶରୀରରେ ତ୍ରିଗୁଣର ପ୍ରଭାବ ଭିନ୍ନ କାହିଁକି?

ପ୍ରକୃତିର ଏହି ତିନି ଗୁଣ ଆମ ମନରେ ବିଚାର ନିର୍ମାଣ କରନ୍ତି । ତ୍ରିଗୁଣ ଅନୁସାରେ ଆମେ ଅଭିଜ୍ଞତା ଆହରଣ କରନ୍ତି । ପ୍ରତିକ୍ରିୟାଶୀଳ ହୋଇଥାନ୍ତି । ତ୍ରିଗୁଣ ସୁତ୍ର ଅନୁସାରେ ତିନିଗୁଣରୁ ଗୋଟିଏ ଗୁଣ ଅଧିକ ଶକ୍ତିଶାଳୀ ହେବା ସହ ଅନ୍ୟ ଦୁଇ ଗୁଣକୁ ଦବାଇ ଦିଅନ୍ତି । କୌଣସି ଗୋଟିଏ ଗୁଣ ଶରୀରକୁ ବଶୀଭୂତ କରି ରଖିଥାଏ । ଖାଦ୍ୟ ଓ ବାହ୍ୟ ପରିବେଶ ଶରୀରରେ ଗୋଟିଏ ଗୁଣକୁ ପୁଷ୍ଟ କରିଥାଏ । ଫଳରେ ଅନ୍ୟ ଦୁଇ ଗୁଣ ଦୁର୍ବଳ କିମ୍ବା ସୁପ୍ତ ଅବସ୍ଥାରେ ରହିଯାଏ ।  ଏହି ଗୁଣକୁ ଚିହ୍ନିବା ପ୍ରକ୍ରିୟାରୁ  ହିଁ ଆରମ୍ଭ ହୋଇଥାଏ ଆୟୁର୍ବେଦ ।

ଶରୀର ତମଗୁଣୀ ହୋଇଥିଲେ ବି ସୁଦ୍ଧ ପରିବେଶ, ସତସଙ୍ଗ ଓ ସାତ୍ତ୍ବିକ ଆହାର ଶରୀରକୁ ତାମସିକତାର ପ୍ରଭାବରୁ ମୁକ୍ତ କରିଥାଏ । ଖାଦ୍ୟ ଗୁଣ ଉପରେ ମାନବିକ ବିଚାର ମଧ୍ୟ ନିର୍ଭର କରିଥାଏ । ମଦ, ମାଂସ ପରି ରାଜସିକ ଓ ତାମସିକ ଆହାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଚିନ୍ତାଧାରା ମଧ୍ୟ ହୋଇଥାଏ ରାଜସିକ ଓ ତାମସିକ ।  

ସମୟ ଓ ତ୍ରିଗୁଣ ମଧ୍ୟରେ ସମ୍ପର୍କ କଣ?

ସମୟ ଅନୁସାରେ ବି ଶରୀରରେ ତ୍ରିଗୁଣ ମଧ୍ୟରୁ ଗୋଟିଏ ଗୁଣ, ଅନ୍ୟ ଦୁଇ ଗୁଣ ଅପେକ୍ଷା ଅଧିକ ପ୍ରଭାବୀ ହୋଇଥାଏ । ସକାଳ ସମୟରେ ପ୍ରତି ଶରୀରରେ ସତ୍ତ୍ବ ଗୁଣ ପ୍ରଭାବୀ ରହୁଥିବାବେଳେ ମଧ୍ୟାନ୍ନରେ ରାଜସ ଓ ସଂଧ୍ୟାରେ ତାମସ ଗୁଣ ଅଧିକ ପ୍ରଭାବୀ ହୋଇଥାଏ । ଶରୀର, ସମୟ ଭେଦରେ ତ୍ରିଗୁଣ ଭିନ୍ନ ଅନୁପାତରେ ସକ୍ରିୟ ଥାଏ । ତାମସ ଓ ରାଜସ ବ୍ୟତୀତ କେବଳ ସତ୍ତ୍ବ ଗୁଣ ତିଷ୍ଠି ରହିପାରିନଥାଏ । କିମ୍ବା ରଜ ଓ ତମ ଗୁଣ, ସତ୍ତ୍ବ ଗୁଣହୀନ ବି ହୋଇପାରିନଥାନ୍ତି । ସତ୍ତ୍ବ ଗୁଣ ଆମକୁ ଆନନ୍ଦ, ଖୁସି ଦେଉଥିବାବେଳେ ରଜ ଗୁଣ ଆମକୁ କାର୍ଯ୍ୟକ୍ଷମ କରିଥାଏ ଏବଂ ତମ ଗୁଣ ପ୍ରତି ସମୟରେ ଆମ ମଧ୍ୟରେ ଆଶଙ୍କା, ଭ୍ରାନ୍ତି ସୃଷ୍ଟି କରିଥାଏ । 

ମାନବିକ କାର୍ଯ୍ୟକୁ ତ୍ରିଗୁଣ କିପରି ପ୍ରଭାବିତ କରେ ?

ପ୍ରକୃତିର ତ୍ରିଗୁଣ କାର୍ଯ୍ୟକୁ ପ୍ରଭାବିତ କରେ । ଶରୀରରେ ଯେଉଁ ଗୁଣ ଯେଉଁ ସମୟରେ ସକ୍ରିୟ ରହିଥାଏ, ସେହି ଆଧାରରେ କର୍ମ ମଧ୍ୟ ନିରୂପିତ ହୁଏ । ଉଦାହରଣ ସ୍ବରୂପ ଜଣେ ତମଗୁଣୀ ବ୍ୟକ୍ତି, ପ୍ରତି କ୍ରିୟା ମଧ୍ୟରୁ ନକରାତ୍ମକତା ବା ଭୁଲ୍ ଦେଖିପାରୁଥିବାବେଳେ, ରଜଗୁଣୀ ବ୍ୟକ୍ତି ଆତ୍ମସ୍ବାର୍ଥ ଓ ସାତ୍ତ୍ବିକ ବ୍ୟକ୍ତି ସମାନ କ୍ରିୟାର ସକରାତ୍ମକ ଦିଗକୁ ଦେଖି ପାରନ୍ତି । ସମାନ ସ୍ଥିତିରେ ଗୁଣ ଅନୁସାରେ ବ୍ୟକ୍ତିଙ୍କ ନିର୍ଣ୍ଣୟ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ତ୍ରିଗୁଣର ଏହି ଗହନ ମର୍ମକୁ ବୁଝିବାକୁ ଗୋଟିଏ ଛୋଟ ଗଳ୍ପର ସାହାରା ନେବା । 

ଏକଦା ଗ୍ରୀଷ୍ମକାଳରେ ଜଙ୍ଗଲ ରାସ୍ତାରେ ଯାଉଯାଉ ପଥଚାରୀଙ୍କ ଆଖିରେ ପଡ଼ିଲା ଆମ୍ବ ଗଛଟିଏ । ଫଳନ୍ତି ଗଛକୁ ଦେଖି ପଥଚାରୀଙ୍କ ଭୋକ ଓ ତୃଷା ବଢ଼ିଲା । ଅତି ଖୁସି ମନରେ ଆମ୍ବ ତୋଳି ଖାଇବାପରେ ଗଛ ଛାଇରେ କିଛି ସମୟ ବିଶ୍ରାମ ନେଲେ ପଥଚାରୀ । ଇଶ୍ବରଙ୍କୁ କୃତଜ୍ଞତା ଜଣାଇଲେ । କିଛି ଦୂରରେ ଆମ୍ବ ଟାକୁଆ ପୋତିଦେଇ ଗଛଟିଏ ହେବାର କାମନା କରି ନିଜ ପଥରେ ଆଗକୁ ଚାଲିଲେ । କିଛି ସମୟ ପରେ ଆଉଜଣ ପଥଚାରୀ ସେହି ବାଟରେ ଆସିଲେ । ସେହି ସମାନ ଦୃଶ୍ୟ ଦେଖିଲେ । ଲୋଭର ବଶବର୍ତ୍ତୀ ହୋଇ ଯଥାସମ୍ଭବ ଆମ୍ବ ତୋଳିବା ସହ ଗଛର ଶାଖା, ପ୍ରଶାଖାକୁ ମଧ୍ୟ ଭାଙ୍ଗିଲେ । କାରଣ ଆମ୍ବ ସହ ଆମ୍ବ କାଠକୁ ନେଇ ବଜାରରେ ବିକ୍ରି କରିବାକୁ ଯୋଜନା କଲେ ପଥଚାରୀ । କିଛି ସମୟ ପରେ ଆସିଲେ ଆଉ ଜଣେ ବାଟୋଇ । ଫଳନ୍ତି ଆମ୍ବ ଗଛକୁ ଦେଖି ନିଜକୁ ଧିକ୍କାର କଲେ । ସିଏ ନିଜେ ବିଫଳତାର ବୋଝରେ ନଇଁ ପଡୁଥିବାବେଳେ ଗୋଟିଏ ଗଛ ତାଙ୍କ ଆଗରେ ସଗର୍ବେ ଫଳ ଭାରରେ ଭାରୀ ହୋଇ ଦୋହଲିବ, ଏକଥା ସେ କେମିତି ସହ୍ୟ କରିବ । ନିଆଁ ଲଗାଇ ଗଛକୁ ପୋଡି ଦେଲେ ବାଟୋଇ । 

ବାସ୍ ...ଗଳ୍ପଟି ଖୁବ ଛୋଟ ନା । ଗଳ୍ପରୁ ତିନି ବିଚାରଧାରା ବ୍ୟକ୍ତିଙ୍କ ଗୁଣର ପରିଚୟ ତ ମିଳିଲା । ପ୍ରଥମ ବ୍ୟକ୍ତି କୃତଜ୍ଞ ଓ ସେବା ମନୋଭାବ ଯୁକ୍ତ ହୋଇଥିବାବେଳେ ଦ୍ବିତୀୟ ବ୍ୟକ୍ତି ଥିଲେ ସ୍ବାର୍ଥପର । ଏବଂ ତୃତୀୟ ବ୍ୟକ୍ତି ଥିଲେ ଅହଂକାରରେ ମଦମତ୍ତ । ସମାନ ସ୍ଥିତିରେ ଭିନ୍ନ ବିଚାରଧାରାର ବ୍ୟକ୍ତିଙ୍କ ପ୍ରତିକ୍ରିୟା ମଧ୍ୟ ଭିନ୍ନ ଭିନ୍ନ । ଏହି ଗଳ୍ପ ଥିଲା ତାର ନିଷ୍କର୍ଷ  ।

ଜ୍ୟୋତିଷ ଶାସ୍ତ୍ରରେ ତ୍ରିଗୁଣ କଣ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ୍ରିଗୁଣ, ଜନ୍ମ କୁଣ୍ଡଳୀ ଓ ଗ୍ରହ ଉପରେ ନିର୍ଭରଶୀଳ । କୁଣ୍ଡଳୀର କୌଣସି ଘରେ ବସି  ଯେବେ ଗ୍ରହ ନିଜ ପ୍ରକୃତି ଅନୁସାରେ ବ୍ୟକ୍ତିଙ୍କ ଚରିତ୍ର ଓ ବ୍ୟବହାର ଉପରେ ଛାପ ଛାଡ଼ନ୍ତି, ତାହା ହିଁ ମନୁଷ୍ୟର ଗୁଣ ବନିଯାଏ । ଆୟୁର୍ବେଦରେ କୌଣସି ଉପଚାର ଓ ଚିକିତ୍ସା ପୂର୍ବରୁ ସର୍ବପ୍ରଥମେ ପ୍ରକୃତି ଗୁଣ ଉପରେ ବିଚାର କରାଯାଏ । ବ୍ୟକ୍ତି କିପରି କାର୍ଯ୍ୟ କରନ୍ତି, କିପରି ବ୍ୟବହାର ପ୍ରଦର୍ଶନ କରନ୍ତି, ସକାରାତ୍ମକ କିମ୍ବା ନକରାତ୍ମକ ଶକ୍ତି ଦ୍ବାରା ପରିଚାଳିତ ହୁଅନ୍ତି- ଏହା ଏହି ଗୁଣ ସ୍ଥିର କରିଥାଏ । 

ତ୍ରିଗୁଣର ଲକ୍ଷଣ କଣ?

ପ୍ରକୃତିର ଏହି ତିନିଗୁଣ ଜନ୍ମଜାତ ହୋଇଥିଲେ ବି ପରିବେଶ ଓ ଖାଦ୍ୟ ଜନ୍ମଜାତ ଗୁଣକୁ ମଧ୍ୟ ପ୍ରଭାବିତ କରିଥାଏ । ପ୍ରକୃତିର ଏହି ତିନି ଗୁଣ ମଧ୍ୟରେ ଆପଣ କେଉଁ ଗୁଣ ଦ୍ବାରା ପ୍ରଭାବିତ, ବା ଆପଣଙ୍କ ଶରୀର କେଉଁ ବର୍ଗର ? ଗୁଣ ଯୋଗୁ ଉତ୍ପନ୍ନ ହେଉଥିବା ସମସ୍ୟାର ସମାଧାନ କିପରି ସମ୍ଭବପର ? ଚାଲନ୍ତୁ  ଏବେ ଜାଣିବା ତିନି ଗୁଣର ଲକ୍ଷଣ ବିଷୟରେ । 

ସାତ୍ତ୍ବିକ ଗୁଣର ଅଧିକାରୀ ବ୍ୟକ୍ତି ଦୟାଳୁ, ସୁଖି, ବୁଦ୍ଧିମାନ । ସବୁ ସମୟରେ ନିରପେକ୍ଷ, ବିଚାରଶୀଳ ରହିବା ସହ ଆସ୍ତିକ ଓ ସକରାତ୍ମକ ଚିନ୍ତାଧାରାଯୁକ୍ତ ହୋଇଥାନ୍ତି । ମାନବ ଓ ପଶୁ ପ୍ରତି ସମାନ ସମ୍ବେଦନଶୀଳ ହୋଇଥାନ୍ତି । 

ଏବେ ଆମେ ରାଜସ ଗୁଣ ବିଷୟରେ ଜାଣିବା ।  ଏହି ବର୍ଗର ବ୍ୟକ୍ତି ନିଜ ଲକ୍ଷ୍ୟ ଓ ସ୍ବାର୍ଥ ହାସଲ ପାଇଁ କିଛି ବି କରିପାରନ୍ତି । ସେମାନଙ୍କ ମଧ୍ୟରେ ଉଚ୍ଚାଭିଳାଷ ରହିଥାଏ । ସବୁ ସମୟରେ ନୂଆ ସନ୍ଧାନ କରିବାକୁ ଭଲ ପାଆନ୍ତି । ଭାବୁକ, ପ୍ରେମୀ ସ୍ବଭାବର ହେବା ସହ ସ୍ଥିତି ଅନୁସାରେ ଆବେଗିକ, ଆକ୍ରାମକ ଓ ଅଧୀର ବି ହୋଇପଡ଼ନ୍ତି । 

ବାସ୍ ଏବେ  ଅନ୍ତିମ ଗୁଣ ତାମସିକ ଗୁଣକୁ ବି ଜାଣିବା । ଏହି ବର୍ଗର ବ୍ୟକ୍ତି ସାଂଘାତିକ ହୋଇଥାନ୍ତି । ସେମାନଙ୍କ ଆଚ୍ଚରଣ ଓ ଉଚ୍ଚାରଣ ଭିନ୍ନ ଭିନ୍ନ ହୋଇଥାଏ । କଥା ଦେଇ ଭୁଲିଯାଆନ୍ତି । ଅନ୍ୟକୁ କନ୍ଦାଇ ଖୁସି ହୁଅନ୍ତି । ସବୁବେଳେ ଭୁଲ ରାସ୍ତା ଚୟନ କରନ୍ତି । 

ନବଗ୍ରହ ଓ ତ୍ରଗୁଣ ମଧ୍ୟରେ କଣ ସମ୍ବନ୍ଧ?

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତି ଗ୍ରହ ଏକ ନିର୍ଦ୍ଦିଷ୍ଟ ଗୁଣକୁ ପ୍ରଭାବିତ କରିଥାନ୍ତି । ସୂର୍ଯ୍ୟ, ଚନ୍ଦ୍ର ଓ ବୃହସ୍ପତି ସାତ୍ବିକ ଗୁଣ ସୂଚକ ହୋଇଥିବାବେଳେ ବୁଧ ଓ ଶୁକ୍ର ରାଜସ ଗୁଣ ସୂଚକ ହୋଇଥାନ୍ତି । ଶନି, ମଙ୍ଗଳ ଓ ରାହୁ ଗ୍ରହ ତାମସିକ ଗୁଣକୁ ବଳ ଦେଇଥାନ୍ତି । ସୂର୍ଯ୍ୟଙ୍କୁ ଆତ୍ମା ଓ ଚନ୍ଦ୍ରକୁ ପବିତ୍ରତାର ପ୍ରତୀକ ଭାବେ ଗ୍ରହଣ କରାଯାଏ । ଶୁକ୍ର ଗ୍ରହକୁ ସୁଖ ଓ ବୁଧ ଗ୍ରହକୁ ସାଂସାରିକ ଆସକ୍ତିର ପ୍ରତୀକ ଭାବେ ଧରାଯାଏ । ଶନି ଆଳସ୍ୟତା ଓ ଅବସାଦର ପ୍ରତୀକ, ରାହୁ ବନ୍ଧନ ଓ ଆସକ୍ତିର ପ୍ରତୀକ ଏବଂ ମଙ୍ଗଳ ଅବାଞ୍ଛିତ ଶତ୍ରୁ ଓ ଦୁର୍ଘଟଣାକୁ ସୂଚିତ କରିଥାଏ ।  ପ୍ରତି ରାଶିର ନିଜସ୍ବ ଗୁଣ ମଧ୍ୟ ରହିଛି । 

ମକର- ରାଜସିକ

ବୃଷ, ସିଂହ, ବିଚ୍ଛା ଓ କୁମ୍ଭ - ତାମସିକ

ମିଥୁନ, କନ୍ୟା ଧନୁ ଓ ମୀନ- ସାତ୍ତ୍ବିକ

ପ୍ରବୃତ୍ତିକୁ କିପରି ପ୍ରଭାବିତ କରେ ତ୍ରିଗୁଣ?

ଗୁଣକୁ ପ୍ରବୃତ୍ତି ଅନୁସାରେ ମଧ୍ୟ ବର୍ଗୀକୃତ କରାଯାଏ । ତାମସିକ ଲୋକଙ୍କ ପାଇଁ ଧର୍ମ, କର୍ମ, ମୋକ୍ଷ ଅର୍ଥହୀନ । ଏହି ଲୋକମାନେ ସବୁବେଳେ ନିଜ କ୍ଷୁଦ୍ର ପରିଚୟ ମଧ୍ୟରେ  ସୀମିତ ରୁହନ୍ତି । ଅନ୍ୟର ବିନାଶକୁ ବଡ଼ ସଫଳତା ବିଚାର କରନ୍ତି । ଏମାନେ ବିଚାରଶୂନ୍ୟ ହୋଇଥାନ୍ତି । ନିଜ ଯୁକ୍ତିରେ ନିଜେ ବଶୀଭୂତ ରହିଥାନ୍ତି । କିନ୍ତୁ ରାଜସିକ ଲୋକମାନେ ଆତ୍ମବିକାଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରନ୍ତି । ପ୍ରତିଯୋଗିତାରେ ଶୀର୍ଷରେ ପହଞ୍ଚିବାକୁ ପ୍ରୟାସ କରନ୍ତି । ସାତ୍ତ୍ବିକ ଗୁଣଯୁକ୍ତ ବ୍ୟକ୍ତି ସବୁବେଳ ସନ୍ତୁଷ୍ଟ ରୁହନ୍ତି । କେବଳ ସକାରାତ୍ମକ କାର୍ଯ୍ୟ ଉପରେ ଗୁରୁତ୍ବ ଦିଅନ୍ତି । 

ତ୍ରିଗୁଣ ପ୍ରକୃତିଗତ ହୋଇଥିଲେ ବି ମାନବ ସଚେତନ ଭାବେ ନିଜ ଶରୀରରେ ନିର୍ଦ୍ଦିଷ୍ଟ ଗୁଣକୁ ଅଧିକ ପ୍ରଭାବୀ କରିବାର ପସନ୍ଦ ସ୍ବୟଂ ସୃଷ୍ଟିକର୍ତ୍ତା ମଣିଷକୁ ଦେଇଛନ୍ତି । ସୁଦ୍ଧ ଅନ୍ତଃକରଣ ଦ୍ବାରା ଶରୀରରେ ତ୍ରିଗୁଣକୁ ନିୟନ୍ତ୍ରଣ କରିବା ସମ୍ଭବପର ।  

©️ ପ୍ରକାଶ ରଂଜନ ପରିଡ଼ା