ଆୟୁର୍ବେଦରେ ନାଡ଼ି ସିଦ୍ଧାନ୍ତ

ଆୟୁର୍ବେଦରେ ନାଡ଼ିକୁ ଦିଆଯାଇଛି ବିଶେଷ ମହତ୍ବ । ଶରୀରର ସେହି ସୁକ୍ଷ୍ମ ପଥକୁ ନାଡ଼ି କୁହାଯାଏ, ଯାହା ସାହାଯ୍ୟରେ ପ୍ରାଣ ଶକ୍ତି ସମ୍ପୂର୍ଣ୍ଣ ଶରୀରରେ ସଂଚାର ହୋଇଥାଏ । 

ଯୋଗଶାସ୍ତ୍ର ହଠଯୋଗ ପ୍ରଦୀପିକାରେ ମାନବ ଶରୀରରେ ୭୨,୮୬୪ ନାଡ଼ିର ବର୍ଣ୍ଣନା ରହିଥିବାବେଳେ ଶିବ ସଂହିତା ଯୋଗଶାସ୍ତ୍ରରେ ଶରୀରରେ ୩,୫୦,୦୦୦ରୁ ଅଧିକ ନାଡ଼ି ରହିଥିବା କୁହାଯାଇଛି । ଏହି ନାଡ଼ିକୁ ଆପଣ ଶିରା କିମ୍ବା ଧମନୀ ବୋଲି ଭୁଲ ବୁଝନ୍ତୁନି । ନାଡ଼ି ଶରୀରରେ ପ୍ରାଣ ଶକ୍ତିକୁ ବ୍ରହ୍ମାଣ୍ଡ ଶକ୍ତି, ବୀର୍ଯ୍ୟ ଓ କୁଣ୍ଡଳିନୀ ପରି ସୁକ୍ଷ୍ମ ଶକ୍ତିକୁ ଶରୀରରେ ସଂଚାର କରାଇଥାଏ । 

ନାଡ଼ି ଗୁଡ଼ିକର କୌଣସି ଭୌତିକ ସ୍ବରୂପ ନାହିଁ । ଅର୍ଥାତ ଆପଣ ଶରୀରକୁ କାଟି ନାଡ଼ି ଦେଖିବାକୁ  ଚାହିଁଲେ ଦେଖି ପାରିବେନି । ପ୍ରତି ନାଡ଼ି ଶରୀରର ଭିନ୍ନ ଭିନ୍ନ ସ୍ଥାନକୁ ଶକ୍ତି ସଂଚାର କରିଥାନ୍ତି । ଶରୀରର ବାମ ପାର୍ଶ୍ବରେ ଇଡ଼ା ନାଡ଼ି ଓ ଦକ୍ଷିଣ ପାର୍ଶ୍ବରେ ପିଙ୍ଗଳା ନାଡ଼ି ଶରୀରରେ ଶକ୍ତି ସଂଚାର କରିଥାନ୍ତି । ଯେଉଁ ସମୟରେ ଇଡ଼ା ନାଡ଼ି ସକ୍ରିୟ ଥାଏ, ସେହି ସମୟରେ ଆମ ନାସିକାର ବାମ ପାର୍ଶ୍ବ ପୁଡ଼ାରେ ଶ୍ବାସ କ୍ରିୟା ଚାଲିଥାଏ, ଏବଂ ଯେଉଁ ସମୟରେ ପିଙ୍ଗଳା ନାଡ଼ି ସକ୍ରିୟ ଥାଏ, ସେତେବେଳେ ନାସିକାର ଦକ୍ଷିଣ ପୁଡ଼ାରେ ଶ୍ବାସ କ୍ରିୟା ସଂଚାଳିତ ହୋଇଥାଏ । ପ୍ରତି ୪୦ରୁ ୫୦ ମିନିଟ ବ୍ୟବଧାନରେ ଇଡ଼ା ଓ ପିଙ୍ଗଳା ନାଡ଼ି କ୍ରମାନ୍ବୟରେ ସକ୍ରିୟ ହୋଇଥାଏ । ତେଣୁ ପ୍ରତି ୪୦ରୁ ୫୦ ମିନିଟ ବ୍ୟବଧାନରେ ଶ୍ବାସକ୍ରିୟା ବାମରୁ ଡାହାଣ ଓ ଡାହାଣରୁ ବାମ ପୁଡ଼ାକୁ ପରିବର୍ତ୍ତିତ ହୋଇଥାଏ । ଇଡ଼ା ନାଡ଼ି ସକ୍ରିୟ ଥିବାବେଳେ ଶରୀର ଶୀତଳ ରହୁଥିବାବେଳେ ପିଙ୍ଗଳା ନାଡ଼ି ସକ୍ରିୟ ଥିବା ସମୟରେ ଶରୀର ଉଷ୍ଣ ରହିଥାଏ । ଇଡ଼ାରୁ ପିଙ୍ଗଳା ଓ ପିଙ୍ଗଳାରୁ ଇଡ଼ା ନାଡ଼ି ସକ୍ରିୟ ହେବାର ମଧ୍ୟବର୍ତ୍ତୀ ସମୟରେ ଏକରୁ ଦୁଇ ମିନିଟ ପାଇଁ ସୁଷୁମ୍ନା ସକ୍ରିୟ ହୋଇଥାଏ ।  ଏହି ସମୟରେ ଆମ ନାସିକାର ଉଭୟ ପାର୍ଶ୍ବରେ ସମାନ ଭାବେ ଶ୍ବାସକ୍ରିୟା ସଂଚାଳିତ ହୋଇଥାଏ । ପ୍ରାଚୀନ ଭାରତବର୍ଷରେ ସିଦ୍ଧ ଯୋଗୀ, ଶ୍ବାସକ୍ରିୟାର ଏହି ସୁଷ୍ମ ପ୍ରକ୍ରିୟାକୁ ଗଭୀର ଭାବେ ଅନୁଧ୍ୟାନ କରିବାରେ ସଫଳ ହୋଇଥିଲେ । ଶ୍ବାସକ୍ରିୟାର ଗତି ସହିତ ଶରୀର, ମନର ସମ୍ବନ୍ଧ ରହସ୍ୟ ଉନ୍ମୋଚିତ କରିଥିଲେ ଯୋଗୀ । ଇଚ୍ଛା ଅନୁସାରେ ଯୋଗୀ ଶରୀରରେ ଇଡ଼ା, ପିଙ୍ଗଳା କିମ୍ବା ସୁଷୁମ୍ନାକୁ ସକ୍ରିୟ କରିପାରନ୍ତି । ପ୍ରାଣାୟାମ, ଯୋଗାସନ ଓ ମୁଦ୍ରା ଦ୍ବାରା ଏହା ସମ୍ଭବପର ହୋଇପାରେ ।   

ଆୟୁର୍ବେଦ ଅନୁସାରେ ମାନବ ଶରୀର ପଞ୍ଚତତ୍ବ ଅର୍ଥାତ ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ ଦ୍ବାରା ଗଠନ ହୋଇଥାଏ । ଶରୀରରେ ପ୍ରାଣ ଶକ୍ତିର ପ୍ରବାହ ତ୍ରିଦୋଷ ବା ବାତ ( ବାୟୁ ଓ ଆକାଶ), ପିତ୍ତ ( ଅଗ୍ନି ଓ ଜଳ) ଏବଂ କଫ ( ଜଳ ଓ ପୃଥିବୀ) ଉପରେ ନିର୍ଭର କରିଥାଏ । ତ୍ରିଦୋଷ, ନାଡ଼ି ଦ୍ବାରା ଶରୀରରେ ଜୀବନୀ ଶକ୍ତିର ସଂଚାର କରିଥାଏ ।  

ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ି ରହସ୍ୟ

ଶରୀରରେ 72000 ନାଡ଼ି ମଧ୍ୟରେ 14 ନାଡିକୁ ବିଶେଷ ଗୁରୁତ୍ବ ଦିଆଯାଏ । ଯଥା ଇଡ଼ା, ପିଙ୍ଗଳା, ସୁଷୁମ୍ନା, ଗାନ୍ଧାରୀ, ପୂଷା, ହସ୍ତି ଜୀବା, କୁହୁ, ସରସ୍ବତୀ, ଶଙ୍ଖିନୀ, ପୟସ୍ବୀନୀ, ବରୁଣ, ବିଶ୍ବଧାରା, ଅଲାମବୁସା ଓ ଯଶୋସ୍ବନୀ ।  ଏହାମଧ୍ୟରେ ପ୍ରମୁଖ 3ଟି ନାଡି ହେଉଛି ଇଡା,ପିଙ୍ଗଳା ଓ ସୁଷୁମ୍ନା ।

  • ଇଡ଼ା ନାଡ଼ି ମୂଳାଧାର ଚକ୍ରରୁ ଆରମ୍ଭ ହୋଇ ବାମ ନାସିକା ଯାଏ ବ୍ୟାପ୍ତ ଥାଏ । ଏହି ନାଡ଼ି ଦ୍ବାରା ଭାବାବେଗ, ମାନସିକ ସମ୍ବେଦନା ଅନୁଭୁତ ହୋଇଥାଏ । ଇଡ଼ା ନାଡ଼ି ମସ୍ତିଷ୍କକୁ  ଶୀତଳ ଶକ୍ତି ପ୍ରଦାନ କରିଥାଏ । ଏଥିପାଇଁ ଇଡ଼ା ନାଡ଼ିକୁ ଚନ୍ଦ୍ର ନାଡ଼ି ମଧ୍ୟ କୁହାଯାଏ ।
  • ପିଙ୍ଗଳା ନାଡ଼ି ମୂଳାଧାର ଚକ୍ରରୁ ଆରମ୍ଭ ହୋଇ ଦକ୍ଷିଣ ନାସିକା ଯାଏ ବ୍ୟାପ୍ତ ରହିଥାଏ । ପିଙ୍ଗଳା ନାଡ଼ି ସକ୍ରିୟ ଥିବା ସମୟରେ ସୃଜନଶୀଳତା, ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ । ମସ୍ତିଷ୍କକୁ ଉଷ୍ଣ ଶକ୍ତି ଯୋଗାଇଥାଏ, ଏଥିପାଇଁ ପିଙ୍ଗଳା ନାଡ଼ିକୁ ସୂର୍ଯ୍ୟ ନାଡ଼ି ମଧ୍ୟ କୁହାଯାଏ । 
  • ସୁଷୁମ୍ନା ନାଡ଼ି ମୂଳାଧାରରୁ ସହସ୍ରାର ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହି ମଧ୍ୟମା ନାଡ଼ିରେ ପ୍ରାଣ ଶକ୍ତିର ସଂଚାର ସମଗ୍ର ଶରୀରକୁ ହୋଇଥାଏ । ସୁଷୁମ୍ନା ନାଡ଼ିରେ ପ୍ରାଣବାୟୁ ପ୍ରବେଶ କରିବା ପରେ ଧୀଶକ୍ତି ବୃଦ୍ଧି ବୃଦ୍ଧି ସହ ମାନବ ଅତ୍ୟନ୍ତ ସଚେତନଶୀଳ  ହୋଇଥାନ୍ତି ।
  • ଗାନ୍ଧାରୀ ନାଡ଼ି ମୂଳାଧାରରୁ ଆଜ୍ଞା ଚକ୍ର ଯାଏ ବ୍ୟାପ୍ତ ରହିଥାଏ । ଏହା ବାମ ଚକ୍ଷୁକୁ ଶକ୍ତି ଯୋଗାଇଥାଏ । 
  • ପୂଷା ନାଡ଼ି ମଧ୍ୟ ମୂଳାଧାରରୁ ଆରମ୍ଭ ହୋଇ ଆଜ୍ଞା ଚକ୍ରରେ ଶେଷ ହୋଇଥାଏ । ଏହା ଦକ୍ଷିଣ ଚକ୍ଷୁକୁ କ୍ରିୟାଶୀଳ କରିଥାଏ । 
  • ହସ୍ତି ଜୀବା ନାଡ଼ି ମୂଳାଧାରରୁ ମଣିପୁର ଚକ୍ର ଯାଏ ବ୍ୟାପ୍ତ ରହିଥାଏ । ଏହା ଶରୀରର ବାମ ପାର୍ଶ୍ବ ହାତ ଓ ଗୋଡ଼କୁ ଶକ୍ତି ଯୋଗାଇଥାଏ ।
  • କୁହୁ ନାଡ଼ି ବିଶୁଦ୍ଧି ଚକ୍ରରୁ ମୂଳାଧାର ଯାଏ ବ୍ୟାପ୍ତ ଥାଏ । ଏହା ଜନନେନ୍ଦ୍ରୀୟକୁ ଶକ୍ତି ଯୋଗାଇଥାଏ ।
  • ସରସ୍ବତୀ ନାଡ଼ି ମୂଳାଧାରରୁ ବିଶୁଦ୍ଧି ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହା ଜିଭ, ଗଳାକୁ  ଶକ୍ତି ଯୋଗାଇଥାଏ ।
  • ଶଙ୍ଖିନୀ ନାଡ଼ି ମୂଳାଧାରରୁ ଆରମ୍ଭ ହୋଇ ଆଜ୍ଞା ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହା ବାମ କାନକୁ ଶକ୍ତି ଯୋଗାଇଥାଏ ।
  • ପୟସ୍ବୀନୀ ନାଡ଼ି ମଧ୍ୟ ମୂଳାଧାରରୁ ଆଜ୍ଞା ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହା ଦକ୍ଷିଣ କାନକୁ ଶକ୍ତି ଯୋଗାଇଥାଏ । 
  • ବରୁଣ ନାଡ଼ି ମୂଳାଧାରରୁ ଅନାହତ ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହା ସମ୍ପୂର୍ଣ୍ଣ ଶରୀରରେ ସ୍ନାୟବିକ କ୍ରିୟାକୁ ଶକ୍ତି ଯୋଗାଇଥାଏ । 
  • ବିଶ୍ବଧାରା ନାଡ଼ି ମୂଳାଧାରରୁ ଆରମ୍ଭ ହୋଇ ମଣିପୁର ଚକ୍ର ଯାଏ ବ୍ୟାପ୍ତ ରହିଥାଏ । ଏହା ମୁଖ୍ୟତଃ ଖାଦ୍ୟ ପାଚନ କ୍ରିୟା ପାଇଁ ଶକ୍ତି ଯୋଗାଇ ଥାଏ ।
  • ଅଲାମବୁସା ନାଡ଼ି ମୂଳାଧାରରୁ ବିଶୁଦ୍ଧି ଚକ୍ର ଯାଏ ବ୍ୟାପ୍ତ ଥାଏ । ଏହା ଶରୀରରୁ ବିଷାକ୍ତ ଓ ବର୍ଜ୍ୟ ବାହାର କରିବାକୁ ଶକ୍ତି ଯୋଗାଇଥାଏ ।
  • ଯଶୋସ୍ବନୀ ନାଡ଼ି ମୂଳାଧାରରୁ ମଣିପୁର ଚକ୍ର ଯାଏ ବ୍ୟାପ୍ତ ରହିଥାଏ । ଏହା ଶରୀରର ଦକ୍ଷିଣ ପାର୍ଶ୍ବ ହାତ ଓ ଗୋଡ଼କୁ ଶକ୍ତି ଯୋଗାଇଥାଏ ।
energy-channels-ida-pingala-sushumna-nadi-explained-in-odia

ଶରୀର ୧୪ ଭୂବନର ସ୍ଥୁଳ ରୂପ

ଆଧୁନିକ ଚିକିତ୍ସା ବିଜ୍ଞାନ ନାଡ଼ିର ଅସ୍ତିତ୍ବକୁ ସ୍ବୀକାର କରିପାରିନି କିନ୍ତୁ ଆପଣ ଯେତେବେଳେ ସଚେତନ ହୁଅନ୍ତି, ଆନ୍ତରିକ କ୍ରିୟାର ଅନୁଭବ କରିପାରନ୍ତି, ଶରୀରରେ ଶକ୍ତିର ଗତି ଅନିୟନ୍ତ୍ରିତ ନୁହେଁ ବରଂ ନିର୍ଦ୍ଦିଷ୍ଟ ପଥ ଦେଇ ଗତି କରୁଥିବା ଅନୁଭବ କରିଥାନ୍ତି । ମଳ ମାର୍ଗ ଓ ମୁତ୍ର ମାର୍ଗ ଯେଉଁଠାରୁ ଅଲଗା ହୋଇଥାଏ, ସେହି ସନ୍ଧି ସ୍ଥାନ ନିକଟରେ ରହିଥାଏ କୁଣ୍ଡଳିନୀ । ଯାହା ସମସ୍ତ ନାଡ଼ିକୁ ଜନ୍ମ ଦେଇଥାଏ ଓ ନିୟନ୍ତ୍ରଣ କରେ । ଶରୀରରେ ୧୪ ପ୍ରମୁଖ ନାଡ଼ି ମଧ୍ୟରୁ  ୭ ନାଡି ଉପରକୁ ଯାଇଥାଏ ଓ ଅନ୍ୟ ୭ ନାଡି ନିମ୍ନକୁ ଯାଇଥାଏ । ଏଥିପାଇଁ ଆୟୁର୍ବେଦରେ ଶରୀରକୁ ୧୪ ଭୂବନର ସ୍ଥୁଳ ରୂପ ବୋଲି କୁହାଯାଏ । ୧୪ ଭୁବନ ଯାଏ ବିସ୍ତାରିତ ହୋଇ ରହିଥାଏ ୧୪ ନାଡି  । ଭୁ, ଭୂବ, ସ୍ବର୍, ମହାର୍, ଜନ, ତପ ଏବଂ ସତ୍ୟ ଲୋକ ଉର୍ଦ୍ଧ୍ବମୁଖି ହୋଇଥିବାବେଳେ  ଅତଳ, ବିତଳ, ସୁତଳ, ତଳାତଳ, ମହାତଳ, ରସାତଳ ଏବଂ ପାତାଳ ନାଡ଼ି ନିମ୍ନମୁଖୀ ହୋଇ କୁଣ୍ଡଳିନୀ ଯାଏ ବ୍ୟାପ୍ତ ଥାଏ । ଏହିଠାରେ ହିଁ ଆକାରର ସମାପ୍ତି ହୋଇଥାଏ । 

କୁଣ୍ଡଳିନୀ ଶକ୍ତି ଜାଗରଣ ରହସ୍ୟ

ନାଡି ଗୁଡ଼ିକର ସମ୍ବନ୍ଧ ପଞ୍ଚ ଇନ୍ଦ୍ରୀୟ ସହ ରହିଥାଏ । ସବୁ ଇନ୍ଦ୍ରିୟ ମନ ଦ୍ବାରା ସଂଚାଳିତ ହୋଇଥାଏ । ମନର ଆଜ୍ଞା ଅନୁସାରେ ଇନ୍ଦ୍ରିୟ ଶରୀରରେ କାର୍ଯ୍ୟ କରିଥାଏ । ଯେଉଁ କାର୍ଯ୍ୟ ହୋଇଥାଏ,  ତାହାର ସୂଚନା ନାଡି ମାଧ୍ୟମରେ କୁଣ୍ଡଳିନୀ ଯାଏ ପହଞ୍ଚି ଥାଏ, ଏହାପରେ କୁଣ୍ଡଳିନୀ ଏହାର ଉଚିତ ଓ ଅନୁଚିତ ନିର୍ଣ୍ଣୟ କରି ସଂଗୃହୀତ ସୂଚନା ଅନୁସାରେ ନିଷ୍ପତ୍ତି ନେଇଥାଏ । ଉଦାହରଣ ସ୍ବରୂପ ଯେତେବେଳେ ମନରେ କ୍ରୋଧ ଭାବ ଆସେ, ନାଡି ମାଧ୍ୟମରେ ସୂଚନା କୁଣ୍ଡଳିନୀରେ ପହଞ୍ଚିଥାଏ । କୁଣ୍ଡଳିନୀର ପୂର୍ବସ୍ଥିତିରେ ବିଚଳନ ସୃଷ୍ଟି ହୁଏ । ଏକପ୍ରକାର ଭୌତିକ ରସାୟନ ସୃଷ୍ଟି ହୋଇଥାଏ, ଯାହା ପୁନର୍ବାର ନାଡ଼ି ଦ୍ବାରା ମନରେ ପହଞ୍ଚିଥାଏ । ଯେତେବେଳେ କେହି ଆମକୁ କିଛି ଅପମାନ ଜନକ କଥା ଶୁଣାନ୍ତି, ତୁରନ୍ତ ଏହି ସୂଚନା ଜ୍ଞାନେନ୍ଦ୍ରିୟ ସହାୟକ ବାହିକା ଦ୍ବାରା ମନ ନିକଟରେ ପହଞ୍ଚିଥାଏ । ପୂର୍ବ ଅଭିଜ୍ଞତା ଆଧାରରେ ମନ ତତ୍କାଳ ପ୍ରତିକ୍ରିୟା ସମ୍ବନ୍ଧିତ ସୂଚନା ନାଡି ଦ୍ବାରା କୁଣ୍ଡଳିନୀରେ ପହଞ୍ଚାଇଥାଏ । ଏହାପରେ ପ୍ରତିକ୍ରିୟା ଏକ ରସାୟନ ରୂପ ଧାରଣ କରି ନାଡି ବାହକ ଦ୍ବାରା ମନ ନିକଟରେ ପହଞ୍ଚିଯାଇଥାଏ । ଏହାପରେ ଆମେ ସମ୍ମୁଖସ୍ଥ ଲୋକଙ୍କୁ ପ୍ରତିକ୍ରିୟା ଦେଇଥାନ୍ତି । ମାନସିକ ଶକ୍ତି ବା ଯାହାକୁ ଆମେ ବ୍ରହ୍ମ କହିଥାନ୍ତି, ସେହି ଶକ୍ତି ଦ୍ବାରା କୁଣ୍ଡଳିନୀ କାର୍ଯ୍ୟ କରିଥାଏ । 

ସାତ୍ତ୍ବିକ ବିଚାର ଦ୍ବାରା ଯଦି ଆମେ କାର୍ଯ୍ୟ ସମ୍ପାଦନ କରନ୍ତି, ତେବେ କୁଣ୍ଡଳିନୀ ଉପରେ ଅନାବଶ୍ୟକ ଚାପ ପଡ଼ିନଥାଏ । ଏହା ସ୍ବାଭାବିକ ଭାବେ ଶରୀରକୁ ଉର୍ଦ୍ଧ୍ବତମ ସୋପାନକୁ ନେବାକୁ କ୍ରିୟାଶୀଳ ରହିଥାଏ । କୁଣ୍ଡଳିନୀ ଉର୍ଦ୍ଧଗାମୀ ହୋଇ ପ୍ରଥମେ ମୂଳାଧାର ଚକ୍ର ପରେ ସ୍ବାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧି ଏବଂ ଶେଷରେ ଆଜ୍ଞା ଚକ୍ର ଅତିକ୍ରମ କରି ବ୍ରହ୍ମରନ୍ଧ୍ର ବା ସହସ୍ରାର ଚକ୍ରରେ ଯାଇ ସ୍ଥିର ହୋଇଥାଏ । ସେତେବେଳେ କୁଣ୍ଡଳିନୀ ନାଡି ଦ୍ବାରା ପହଞ୍ଚିଥିବା ସମ୍ବେଦନା ତଥା ସୂଚନାର ନିୟନ୍ତ୍ରଣ କରିଥାଏ ।

ନାଡ଼ି ଯୋଗ ରହସ୍ୟ

ପତଞ୍ଚଳି ଯୋଗସୁତ୍ର ଅନୁସାରେ ଯମ, ନିୟମ, ଆସନ, ପ୍ରାଣାୟାମ ଓ ପ୍ରତ୍ୟାହାର ସାଧନା ପରେ ମନ ସ୍ଥିର ହୋଇଥାଏ । ଏହାପରେ ସୁଷୁମ୍ନା ନାଡ଼ିରେ ଶକ୍ତି ପ୍ରବେଶ କରିବା ଆରମ୍ଭ କରେ । ସ୍ବରୋଦୟ ବିଜ୍ଞାନ ଅନୁଯାୟୀ ଶ୍ବାସ ଯେତେବେଳେ ଦକ୍ଷିଣ ପୁଡ଼ାରେ ଚାଲିଥାଏ, ଶ୍ବାସ ଗରମ ଅନୁଭୂତ ହୋଇଥାଏ , ବାମ ପୁ଼ଡ଼ାରେ ଶ୍ବାସ ଥଣ୍ଡା ହୋଇଥାଏ । କିନ୍ତୁ ଯେତେବେଳେ ଶ୍ବାସ ଉଭୟ ପୁଡ଼ାରେ ସମାନ ଭାବେ ପ୍ରବାହିତ ହୁଏ, ସେତେବେଳେ ମଧ୍ୟ ନାଡ଼ି ବା ସୁଷୁମ୍ନା ସକ୍ରିୟ ହୋଇଥାଏ । ଇଡ଼ା ଓ ପିଙ୍ଗଳାର ଉଚିତ ସନ୍ତୁଳନ ଫଳରେ ଶରୀରରେ ଶକ୍ତି ସନ୍ତୁଳନ ବା ଶ୍ବାସର ଗତି ମନ୍ଥର ହୋଇଥାଏ । ସ୍ବାଭାବିକ ଭାବେ ଏକ ମିନିଟରେ ମନୁଷ୍ୟ ୧୩ରୁ ୧୫ଥର ଶ୍ବାସକ୍ରିୟା ସଂପାଦନ କରୁଥିବାବେଳେ ଦୀର୍ଘ ପ୍ରାଣାୟାମ ସାଧନା ପରେ ଏହି ସଂଖ୍ୟା ୧୧ରୁ ୯ ଥରକୁ ହ୍ରାସ ପାଇଥାଏ । ଯାହା ଅନ୍ତଃକରଣ (ମନ, ବୁଦ୍ଧି, ଅହଂକାର ଓ ଚିତ୍ତ)କୁ ସୁଦ୍ଧ ଓ ନିର୍ମଳ କରିଥାଏ । ଶରୀରରେ ସବୁ ସମୟରେ ଶିଶୁଙ୍କ ପରି ଉଲ୍ଲାସ ଓ ପ୍ରସନ୍ନତା ଭରି ରହେ । 

ଶ୍ବାସକ୍ରିୟାର ଗତି ଉପରେ ନିର୍ଭର କରେ ଜୀବନର ଦୀର୍ଘତା 

ଯୋଗ ଓ ଆୟୁର୍ବେଦ ଅନୁସାରେ ଶ୍ବାସକ୍ରିୟାର ଗତି ଉପରେ ଜୀବନର ଦୀର୍ଘତା ନିର୍ଭର କରିଥାଏ । ଶ୍ବାସକ୍ରିୟା ଗତି ମନ୍ଥର ହେଲେ ଆୟୁଷ ବୃଦ୍ଧି ପାଇଥାଏ । ମଣିଷ ସହ ଅନ୍ୟ ଜୀବଜନ୍ତୁଙ୍କ ଶ୍ବାସକ୍ରିୟାର ଗତିକୁ ଲକ୍ଷ୍ୟ କଲେ ଏହା ସ୍ପଷ୍ଟ ହୋଇପାରିବ । ଜଳଚର ଜୀବ କଇଁଚ ପ୍ରତି ମିନିଟରେ ମାତ୍ର 6 ଥର ଶ୍ବାସକ୍ରିୟା ସଂପାଦନ କରିଥାଏ । ସେହି ଅନୁସାରେ କଇଁଚର ଆୟୁଷ ପ୍ରାୟ ୬୦୦ ବର୍ଷ ହୋଇଥାଏ । ସରିସୃପ ବର୍ଗରେ ସାପ ପ୍ରତି ମିନିଟରେ ୮ ଥର ଶ୍ବାସକ୍ରିୟା ସଂପାଦନ କରୁଥିବାବେଳେ ପ୍ରାୟ ୩୦୦ ବର୍ଷ ବଞ୍ଚିଥାଏ । କୁକୁର ପ୍ରତି ମିନିଟରେ ୨୮ ଥର ଶ୍ବାସକ୍ରିୟା ସଂପାଦନ କରୁଥିବାବେଳେ ପ୍ରାୟ ୧୨ ବର୍ଷ ବଞ୍ଚିଥାଏ । ମାଙ୍କଡ଼ ମିନିଟରେ ୩୨ ଥର ଓ ଗୁଣ୍ଡୁଚି ମୂଷା ମିନିଟରେ ୩୮ ଥର ଶ୍ବାସକ୍ରିୟା ସଂପାଦନ କରିଥାନ୍ତି । ମାଙ୍କଡ଼ର ଆୟୁଷ ମାତ୍ର ୧୦ ବର୍ଷ ହୋଇଥିବାବେଳେ ଗୁଣ୍ଡିଚି ମୂଷା ମାତ୍ର ୮ ବର୍ଷ ବଞ୍ଚିଥାଏ । 

ଏଥିପାଇଁ ମହର୍ଷି ପତଞ୍ଜଳି ଇଡ଼ା, ପିଙ୍ଗଳାର ସନ୍ତୁଳନ ପାଇଁ ପ୍ରାଣାୟାମ ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି । ନାଡ଼ି ଯୋଗ କେବଳ ପ୍ରାଚୀନ ଭାରତ ପାଇଁ ନୁହେ, ବର୍ତ୍ତମାନ ସମୟ ପାଇଁ ମଧ୍ୟ ବେଶ ମହତ୍ବପୂର୍ଣ୍ଣ । 

Understanding the Energy Channels Ida, and Pingala Nadi Explained | Yogashree