ଆୟୁର୍ବେଦର ମୂଳ ସିଦ୍ଧାନ୍ତ ତ୍ରିଦୋଷ । ଯାହା ଶରୀରର ପ୍ରାକୃତିକ ପ୍ରଣାଳୀ ଓ ଗହନ ପ୍ରକ୍ରିୟାକୁ ବୁଝିବା ପାଇଁ ଅତ୍ୟନ୍ତ ସରଳ ସୁତ୍ର । ତ୍ରିଦୋଷ ତିନି ପ୍ରକାର ଜୈବିକ ଶକ୍ତିକୁ ସୂଚୀତ କରିଥାଏ, ଯାହା ଶାରୀରିକ ଓ ମାନସିକ କ୍ରିୟାକୁ ନିୟନ୍ତ୍ରିତ କରିଥାଏ । 

ଆୟୁର୍ବେଦରେ ତ୍ରିଦୋଷ ସିଦ୍ଧାନ୍ତ

ତ୍ରିଦୋଷ ସିଦ୍ଧାନ୍ତ ଆୟୁର୍ବେଦିକ ଚିକିତ୍ସା ପଦ୍ଧତିର କେନ୍ଦ୍ରୀୟ ଅବଧାରଣା । ସମସ୍ତ ଶାରୀରିକ କାର୍ଯ୍ୟ ଏହି ୩ ମୂଳ ଶକ୍ତି ଦ୍ବାରା ନିୟନ୍ତ୍ରିତ ହୋଇଥାଏ । ପଞ୍ଚଭୂତର ଦୁଇଟି ଲେଖାଏ ଉପାଦାନର ସମିଶ୍ରଣରେ ଦୋଷର ଉତ୍ପତ୍ତି ହୋଇଥାଏ । 

- ବାୟୁ ଓ ଆକାଶ ତତ୍ତ୍ବର ମିଶ୍ରଣରେ ବାତ ଦୋଷର ଉତ୍ପତି

- ଅଗ୍ନି ଓ ଜଳ ତତ୍ତ୍ବର ମିଶ୍ରଣରେ  ପିତ୍ତ ଦୋଷର ଉତ୍ପତି

- ଜଳ ଓ ପୃଥିବୀ ତତ୍ତ୍ବର ମିଶ୍ରଣରେ କଫ ଦୋଷର ଉତ୍ପତ୍ତି ହୋଇଥାଏ । 

ଏହି ତ୍ରିଶକ୍ତି ବା ତ୍ରିଦୋଷ ପ୍ରତି ବ୍ୟକ୍ତିଙ୍କ ଶରୀରରେ ଭିନ୍ନ ଭିନ୍ନ ଅନୁପାତରେ ଜନ୍ମରୁ ମହଜୁଦ ଥାଏ । 

 || आयुर्वेद ।।

समदोषाः समाग्निश्च समाधातुमलकियः । प्रसन्नात्मेन्द्रियमनाः स्वस्थ्य इतिभिधीयते ।।

(An individual/person who is in a state of equilibrium of body's; Doshas (humors), Agni (digestive fire), Dhatus (tissues), Malah kriya (Physiological functions) and whose Aatma (soul), Indriya (senses) and Mana (Mind); all are happy, is considered as a healthy individual.)

Aso Read: ପ୍ରାଣାୟାମ କଣ ? ପ୍ରାଣାୟାମ କେତେ ପ୍ରକାର ଓ କିପରି କରାଯାଏ ?

ବାତ ଦୋଷ

ବାୟୁ ଓ ଆକାଶ ତତ୍ବର ସଂଯୋଜନ ବାତ ସମଗ୍ର ଶରୀରରେ ଗତିଶୀଳ ଥାଏ । ଶ୍ବାସକ୍ରିୟା, ହୃହୟ ସ୍ପନ୍ଦନ, ମାଂସପେଶୀର ଚାଳନା, ଏପରିକି ଆମ ବିଚାର ପ୍ରକ୍ରିୟାକୁ ମଧ୍ୟ ବାତ ନିୟନ୍ତ୍ରିତ କରିଥାଏ । ଏହା ଥଣ୍ଡା, ହାଲକା, ଶୁଷ୍କ  ଓ ଗତିଶୀଳ ବା ପରିବର୍ତ୍ତନ  ଗୁଣଯୁକ୍ତ । ଶରୀରରେ ବାତ ସନ୍ତୁଳିତ ରହିଲେ ଶରୀର ଚଞ୍ଚଳ ରହିବା ସହ ସୃଜନଶୀଳତା ବୃଦ୍ଧି ପାଇଥାଏ । ବାତ ଅସନ୍ତୁଳିତ ହେଲେ ମନରେ ଚିନ୍ତା, ଭୟ ଭାବନା  ସୃଷ୍ଟି ହେବା ସହ ଶରୀରର ତ୍ବଚା ଶୁଷ୍କ ହୋଇଥାଏ । ଖାଦ୍ୟ ହଜମରେ ସମସ୍ୟା ଦେଖାଦିଏ ।ମନ ବିଚଳିତ ହୋଇଥାଏ । କୌଣସି କାର୍ଯ୍ୟରେ ମନ ଲାଗି ନଥାଏ । 

ବାତଦୋଷର କ୍ରିୟାକୁ ନେଇ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା- 

  • ପ୍ରାଣ ବାତ
  • ଉଦାନ ବାତ
  • ବ୍ୟାନ ବାତ
  • ସମାନ ବାତ
  •  ଅପାନ ବାତ 

୧.ପ୍ରାଣ ବାତ- ପ୍ରାଣ ବାତ ହିଁ ସମ୍ପୂର୍ଣ୍ଣ ଶରୀରରେ ବାତଦୋଷକୁ କ୍ରିୟାଶୀଳ କରିଥାଏ । ଏହା ମଥା, ଗଳା ଓ ହୃଦୟରେ କ୍ରିୟାଶୀଳ ରହିଥାଏ । ପ୍ରାଣ ବାତ ଚିନ୍ତା କରିବା, ସୃଜନଶୀଳତା, ନୂଆ ଜ୍ଞାନ ଆହରଣ, ଶ୍ବାସକ୍ରିୟା ସମ୍ପାଦନ କରିଥାଏ ।

 ୨. ଉଦାନ ବାତ- ଉଦାନ ବାତ ଗଳାରୁ ଛାତି ମଧ୍ୟରେ ରହିଥାଏ । କାଶ, ଛିଙ୍କ, ହେକୁଟି ଆଦି କ୍ରିୟାକୁ ସମ୍ପାଦିତ କରିଥାଏ ।

୩. ବ୍ୟାନ ବାତ- ବ୍ୟାନ ବାତ ହୃଦୟରୁ ସମ୍ପୂର୍ଣ୍ଣ ଶରୀରରେ ଆଚ୍ଛାଦିତ ଚର୍ମରେ ବ୍ୟାପ୍ତ ଥାଏ । ହୃଦୟ ସ୍ପନ୍ଦନ ସହ ସ୍ପର୍ଶ ଅନୁଭବ, ଶରୀରରୁ ଝାଳ ବାହାରିବା କ୍ରିୟା ବ୍ୟାନ ବାତ ଯୋଗୁ ହୋଇଥାଏ ।

୪. ସମାନ ବାତ- ସମାନ ବାତ ମୁଖ୍ୟତଃ ପାକସ୍ଥଳୀରେ ରହିଥାଏ । ଖାଦ୍ୟ ପାଚନ ଓ ହଜମ କ୍ରିୟା କରିଥାଏ ।

୫. ଅପାନ ବାତ- ଅପାନ ବାତ ଶରୀରର ନିମ୍ନଭାଗରେ ସକ୍ରିୟ ରହିଥାଏ । ଏହାଦ୍ବାରା ଋତୁସ୍ରାବ, ବିର୍ଯ୍ୟ ସ୍ଖଳନ ଓ ପରିସ୍ରା କ୍ରିୟା ସମ୍ପାଦିତ ହୋଇଥାଏ ।

ପିତ୍ତ ଦୋଷ

ଅଗ୍ନି ଓ ଜଳ ତତ୍ବର ସଂଯୋଜନ ପିତ୍ତ ଶରୀରରେ  ପାଚନ, ଅବଶୋଷଣ,  ପୋଷଣ ସହ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିଥାଏ । ପିତ୍ତର ଗୁଣ ହେଉଛି ଉଷ୍ଣ, ହାଲକା, ତୀବ୍ର ଓ ଅମ୍ଳୀୟ । ଶରୀରରେ ପିତ୍ତ ସନ୍ତୁଳିତ ରହିଲେ ଧୈର୍ଯ୍ୟ ବୃଦ୍ଧି ପାଏ, ବୁଦ୍ଧି ତୀଷ୍ମ ହୋଇଥାଏ । ପିତ୍ତ ଅସନ୍ତୁଳିତ ହେଲେ ଶରୀରିକ ପୀଡ଼ା ସହ ଶରୀର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଥାଏ । ମନରେ କ୍ରୋଦ୍ଧ, ଘୃଣା ଓ ଇର୍ଷା ଭାବନା ବଢ଼ିଥାଏ । 


ପିତ୍ତ ଦୋଷର କ୍ରିୟାକୁ ନେଇ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା- 

  • ଆଲୋଚକ ପିତ୍ତ
  • ଭ୍ରାଜକ ପିତ୍ତ
  • ସାଧକ ପିତ୍ତ
  • ପାଚକ ପିତ୍ତ
  • ରଞ୍ଜକ ପିତ୍ତ 

୧. ଆଲୋଚକ ପିତ୍ତ- ଆଲୋଚକ ପିତ୍ତ ଆଖିର ଚତୁପାର୍ଶ୍ବରେ ଥାଏ । ଏହା ଦୃଷ୍ଟି ଶକ୍ତିକୁ ସକ୍ରିୟ କରିଥାଏ ।

୨. ଭ୍ରାଜକ ପିତ୍ତ-  ଭ୍ରାଜକ ପିତ୍ତ ଚର୍ମରେ ରହିଥାଏ । ଚର୍ମ ଶୁଷ୍କ କିମ୍ବା ଚିକ୍କଣ ଦୃଶ୍ୟମାନ ହେବା ଭ୍ରାଜକ ପିତ୍ତ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

୩. ସାଧକ ପିତ୍ତ- ସାଧକ ପିତ୍ତ ଛାତି ଓ ମସ୍ତିଷ୍କରେ ରହିଥାଏ । ମାନସିକ ସନ୍ତୁଳନ, ବୁଦ୍ଧିମତା, ସ୍ମରଣ ଶକ୍ତି କାର୍ଯ୍ୟକ୍ଷମତା ସାଧକ ପିତ୍ତ ଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

୪. ପାଚକ ପିତ୍ତ- ପାଚକ ପିତ୍ତ ପାକସ୍ଥଳୀରୁ ମଳଦ୍ବାର ଯାଏ ସକ୍ରିୟ ଥାଏ । ଖାଦ୍ୟରୁ ପୋଷଣ ସଂଗ୍ରହ କରିବା ସହ ବର୍ଜ୍ୟ ତ୍ୟାଗ କ୍ରିୟା ପାଚକ ପିତ୍ତ ଦ୍ବାରା ସମ୍ପାଦିତ ହୋଇଥାଏ । 

୫. ରଞ୍ଜକ ପିତ୍ତ- ରଞ୍ଜକ ପିତ୍ତ ଲିଭର ସହ ଶିରା ଓ ଧମନୀରେ ରହିଥାଏ । ରକ୍ତ ପ୍ରବାହ ସହ ପ୍ରତି କୋଷକୁ ଖାଦ୍ୟ ଯୋଗାଇଥାଏ ।

କଫ ଦୋଷ

ଜଳ ଓ ପୃଥିବୀ ତତ୍ବର ସଂଯୋଜନ କଫ,  ଶାରୀରିକ ସଂରଚନା ଓ ଚିକ୍କଣତାର ପ୍ରତିନିଧିତ୍ବ କରିଥାଏ । କଫ ଶରୀରର ସମସ୍ତ ଅଙ୍ଗକୁ ଚୁଚାରୁ ରୂପେ କାର୍ଯ୍ୟକ୍ଷମ କରିଥାଏ । କଫର ଗୁଣ ଥଣ୍ଡା, ସିକ୍ତ, ଓଜନିଆ ଓ ସ୍ଥିର । ଶରୀରରେ କଫ ସନ୍ତୁଳିତ ଥିଲେ ଶରୀର ଶାନ୍ତ ରହେ । ମନରେ ଦୟା, କ୍ଷମା ଗୁଣ ଜାତ ହୁଏ । କଫ ଅସନ୍ତୁଳିତ ହେଲେ ଶରୀରରେ ମେଦବହୁଳତା, ମଧୁମେହ, ସାଇନସ ସମସ୍ୟା ଦେଖା ଦେବା ସହ ମନରେ ଇର୍ଷା ଭାବନା ବଢ଼ିଥାଏ ।

କଫ ଦୋଷର କାର୍ଯ୍ୟକୁ ନେଇ ମଧ୍ୟ ୫ ଭାଗରେ ବିଭକ୍ତ କରାଯାଇଛି । ଯଥା- 

  • କ୍ଲେଦକ କଫ
  • ବୋଧକ କଫ
  • ଅଭଲାମ୍ବକ କଫ
  • ତାର୍ପକ କଫ
  • ଶ୍ଳେଷକ କଫ 

୧. କ୍ଲେଦକ କଫ- କ୍ଲେଦକ କଫ ଛାତିରେ ସକ୍ରିୟ ଥାଏ । ଖାଦ୍ୟକୁ ହଜମ ଉପଯୋଗୀ କରିଥାଏ । ମିଠା, ଖଟା ଜାତୀୟ ଖାଦ୍ୟ ହଜମ ପାଇଁ ଅଧିକ କଫର ଉପଯୋଗ ଫଳରେ ଶରୀର ଅଧିକ ଭାରୀ ହୋଇଥାଏ ।

୨. ବୋଧକ କଫ- ବୋଧକ କଫ ଜିଭ ଓ ଗଳାରେ ରହିଥାଏ । ଖାଦ୍ୟ ଖାଇବା ସମୟରେ ଲାଳ ଉଦଗମ ସହ ଖାଦ୍ୟକୁ ନରମ ଓ ହଜମ ଉପଯୋଗୀ ବନାଇଥାଏ ।

୩. ଅଭଲାମ୍ବକ କଫ-  ଅଭଲାମ୍ବକ କଫ ଛାତିରେ ରହିଥାଏ । ଏହାଦ୍ବାରା ଶ୍ବାସକ୍ରିୟା ସମ୍ପାଦିତ ହୋଇଥାଏ । ଶ୍ବାସକ୍ରିୟାକୁ ସୁଗମ କରିବାରେ ଅଭଲାମ୍ବକ କଫ ସାହାଯ୍ୟ କରିଥାଏ ।

୪. ତାର୍ପକ କଫ-  ତାର୍ପକ କଫ ମଥା ଓ ସ୍ପାଇନାଲ କଡରେ ରହିଥାଏ । ମସ୍ତିଷ୍କରେ  ଅମ୍ଳଜାନ ପହଞ୍ଚିବାରେ ସାହାଯ୍ୟ କରିଥାଏ ।

୫. ଶ୍ଳେଷକ କଫ-  ଶ୍ଳେଷକ କଫ ଶରୀରର ସମସ୍ତ ଗଣ୍ଠି ସ୍ଥାନରେ ରହିଥାଏ ।  ଗଣ୍ଠିକୁ କ୍ରିୟାଶୀଳ ରଖିବା ପାଇଁ ଆବଶ୍ୟକ ତୈଳ ଯୋଗାଇଥାଏ ।

ତ୍ରିଦୋଷ ସନ୍ତୁଳନ ସୁତ୍ର

ଆୟୁର୍ବେଦ ଅନୁସାରେ ସୁସ୍ଥ ଓ ନିରୋଗ ଶରୀର ଗଠନ ପାଇଁ ତ୍ରିଦୋଷକୁ  ସନ୍ତୁଳିତ ରଖିବା ଅତ୍ୟନ୍ତ ଜରୁରୀ । ପ୍ରତି ବ୍ୟକ୍ତି ତିନି ଦୋଷର ନିଆରା ସଂଯୋଜନ ସହ ଜନ୍ମ ହୋଇଥାନ୍ତି । ଯାହାକୁ ଶାରୀରିକ ପ୍ରକୃତି ଭାବେ  ବିବେଚନା କରାଯାଏ । ବ୍ୟକ୍ତିଙ୍କ ଶାରୀରିକ, ମାନସିକ ଓ ଭାବନାତ୍ମକ ବିଶେଷତାକୁ ତ୍ରିଦୋଷ ସରଂଚନା ପରିଭାଷିତ କରିଥାଏ । ପ୍ରତି ଋତୁରେ ଏପରି ଗୁଣ ରହିଥାଏ, ଯାହା ଏକ ନିର୍ଦ୍ଦିଷ୍ଟ ଦୋଷକୁ ପ୍ରଭାବିତ କରିଥାଏ । ଯେପରିକି ଗ୍ରୀଷ୍ମ ଋତୁରେ ଶରୀରରେ ପିତ୍ତ ବଢିଥାଏ ଓ ବର୍ଷା ଋତୁରେ କଫ ବୃଦ୍ଧି ପାଇଥାଏ । ସାଧାରଣତଃ ଶରୀରର ନାଭିରୁ ନିମ୍ନଭାଗରେ ବାତଦୋଷ ସକ୍ରିୟ ରହୁଥିବାବେଳେ ପେଟ ଓ ଛାତିରେ ସକ୍ରିୟ ଥାଏ ପିତ୍ତଦୋଷ । ଛାତିରୁ ମଥା ଯାଏ ସକ୍ରିୟ ରହିଥାଏ କଫଦୋଷ ।

-ଶରୀରରେ ବାତ ସନ୍ତୁଳନ ପାଇଁ ଉତ୍ତମ ଜୀବନଚର୍ଯ୍ୟା ସହ କମ୍ ପରିମାଣରେ ତେଲ, ମସଲା ଓ କମ୍ ଲୁଣଯୁକ୍ତ ଘରୋଇ ରନ୍ଧା ଖାଦ୍ୟ ଖାଇବା ଉଚିତ । ନିୟମିତ ବ୍ୟାୟାମ କିମ୍ବା ଯୋଗ, ଧ୍ୟାନ ମଧ୍ୟ ଜରୁରୀ । 

-ପିତ୍ତ ସନ୍ତୁଳନ ପାଇଁ ଅଧିକ ରାଗ ଓ ଅମ୍ଳଯୁକ୍ତ ଖାଦ୍ୟ ପରିହାର କରିବା ଆବଶ୍ୟକ । କଦଳୀ, ଅମୃତଭଣ୍ଡା ପରି ଥଣ୍ଡା ଗୁଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ।

-ଶରୀରରେ କଫ ଦୋଷ ସନ୍ତୁଳନ ପାଇ ଥଣ୍ଡା ଗୁଣଯୁକ୍ତ ଖାଦ୍ୟ ପରିହାର ସହ ନିୟମିତ ବ୍ୟାୟାମ ଜରୁରୀ ।

ayurveda-tridosha-vata-pitta-kapha-dosha-in-odia

ଆହାର, ଜୀବନଶୈଳୀ, ପରିବେଶ, ଭାବନାତ୍ମକ ସ୍ଥିତି ତ୍ରିଦୋଷର ସନ୍ତୁଳନକୁ ପ୍ରଭାବିତ କରିଥାଏ । ତ୍ରିଦୋଷ ଅବଧାରଣା ମାନବ ଶରୀର ଓ ପ୍ରକୃତିର ବିଶେଷତାକୁ ଦର୍ଶାଇଥାଏ । ଏଥିପାଇଁ ଆୟୁର୍ବେଦରେ ତ୍ରିଦୋଷ ଓ ତ୍ରିଗୁଣର ସନ୍ତୁଳନ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । 

ତ୍ରିଦୋଷ ସନ୍ତୁଳନ ପାଇଁ ତ୍ରିଫଳାକୁ ଆୟୁର୍ବେଦରେ ଶକ୍ତିଶାଳୀ ଔଷଧ କୁହାଯାଇଛି । କାରଣ ଅଁଳା ଶରୀରରେ ପିତ୍ତକୁ ଶାନ୍ତ କରୁଥିବାବେଳେ, ବାହାଡ଼ା କଫକୁ କମ୍ କରିଥାଏ ଏବଂ ହରିଡ଼ା ବାତକୁ କମ୍ କରିଥାଏ ।