ହଠଯୋଗ ପ୍ରଦୀପିକା ଯୋଗଶାସ୍ତ୍ରର ସାମଗ୍ରିକ ଅନ୍ତଃସ୍ୱର

ହଠପ୍ରଦୀପିକା ବା ହଠଯୋଗ ପ୍ରଦୀପିକା ଶାସ୍ତ୍ର ବିନା ହଠଯୋଗର ଆଲୋଚନା ଅସଂପୂର୍ଣ୍ଣ । ଯୋଗଗ୍ରନ୍ଥ ଭାବେ ଏହାର ସ୍ଥାନ ଅତୁଳନୀୟ । ହଠଯୋଗ ଉପରେ ଏହି ଅନନ୍ୟ ଶାସ୍ତ୍ରର ଲେଖକ ହେଉଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯୋଗ ସାର୍ଟିଫିକେଟ୍ କୋର୍ସଠାରୁ ଆରମ୍ଭ କରି ଡିପ୍ଲୋମା, ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମରେ ମଧ୍ୟ ହଠଯୋଗ ପ୍ରଦୀପିକାକୁ ଏକ ମୁଖ୍ୟ ଯୋଗଶାସ୍ତ୍ର ଭାବେ ଗ୍ରହଣ କରାଯାଏ । ଯୋଗର ସମସ୍ତ ପାଠ୍ୟକ୍ରମରେ ତଥା ଜାତୀୟ ଯୋଗ୍ୟତା ପରୀକ୍ଷା (NET) ଏବଂ ଯୋଗ ସାର୍ଟିଫିକେସନ୍ ବୋର୍ଡ (YCB) ପରୀକ୍ଷାରେ ବି ହଠଯୋଗ ପ୍ରଦୀପିକା ମୂଳ ବିଷୟ ଭାବରେ ଅନ୍ତର୍ଭୁକ୍ତ ହୋଇଛି । ତେଣୁ ଏହାକୁ ସାଧାରଣ ପୁସ୍ତକ ନକହି ଶାସ୍ତ୍ର କିମ୍ବା ଗ୍ରନ୍ଥ କହି ଯୋଗୀଙ୍କୁ ଉଚିତ ସମ୍ମାନ ଦିଆଯାଏ ।

ସ୍ବାମୀ ସ୍ବାତ୍ମାରାମ କିଏ ? 


ହଠଯୋଗ ପ୍ରଦୀପିକା ଶାସ୍ତ୍ରର ଲେଖକ ସ୍ବାମୀ ସ୍ବାତ୍ମାରାମଙ୍କୁ ହଠଯୋଗର ପ୍ରସିଦ୍ଧ ଆଚାର୍ଯ୍ୟମାନଙ୍କ ମଧ୍ୟରେ ଗଣନା କରାଯାଏ । ସ୍ବାମୀ ଗୋରଖନାଥଙ୍କ ପଟ୍ଟଶିଷ୍ୟ ଥିଲେ ସ୍ବାମୀ ସ୍ବାତ୍ମାରାମ । ଚତୁର୍ଦ୍ଦଶରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ରଚିତ ଏହି ଯୋଗ ଶାସ୍ତ୍ରରେ ଯୋଗର ଗହନ ତତ୍ବକୁ ସରଳ ରୂପରେ ଉପସ୍ଥାପନ କରିଥିଲେ ସ୍ବାମୀ ସ୍ବାତ୍ମାରାମ । ଯାହା ତତ୍କାଳୀନ ସମାଜ ପରି ଆଧୁନିକ ସମାଜ ପାଇଁ ମଧ୍ୟ ଗ୍ରହଣୀୟ । କହିବାକୁ ଗଲେ ବର୍ତ୍ତମାନର ମାନବ ସମାଜ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ ।


ହଠଯୋଗ ପ୍ରଦୀପିକା ଶାସ୍ତ୍ରର ରଚନାକାଳ  


ହଠଯୋଗ ପ୍ରଦୀପିକାର ରଚନାକାଳକୁ ନେଇ ସବୁ ବିଦ୍ବାନ ଏକମତ ନୁହଁନ୍ତି । ଯୋଗ ଗବେଷକ ଓ ବିଦ୍ବାନମାନେ ତ୍ରୟୋଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ ମଧ୍ୟରେ ହଠଯୋଗ ପ୍ରଦୀପିକା ରଚନା ହୋଇଥିବା କହିଥାନ୍ତି । ତେଣୁ ସମୀକ୍ଷକମାନେ ବିଦ୍ବାନଙ୍କ ମତକୁ ତର୍ଜମା କରିବା ପରେ ହଠଯୋଗ ପ୍ରଦୀପିକାର ରଚନାକାଳ ଚତୁର୍ଦ୍ଦଶ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ହୋଇଥିବା ଗ୍ରହଣ କରନ୍ତି ।  


ହଠଯୋଗ ପ୍ରଦୀପିକା ଅନୁସାରେ ଯୋଗର ସ୍ବରୂପ କଣ ?


ହଠପ୍ରଦୀପିକା ହଠଯୋଗ ସାଧନା ପଦ୍ଧତି ବର୍ଣ୍ଣିନା ହୋଇଥିବା ମହାନ ଗ୍ରନ୍ଥ ଅଟେ । ହଠଯୋଗର ପ୍ରବର୍ତ୍ତକ ବା ପ୍ରଥମ ବକ୍ତା ସ୍ବୟଂ ଶିବ ଅଟନ୍ତି । ଭଗବାନ ଶିବଙ୍କୁ ଆଦିନାଥ ମଧ୍ୟ କୁହାଯାଏ । ଏଥିପାଇଁ ହଠଯୋଗକୁ ନାଥ ସଂପ୍ରଦାୟର ଯୋଗ ବୋଲି କୁହାଯାଏ । ସ୍ବାମୀ ସ୍ବାତ୍ମାରାମ ନିଜେ ନାଥ ପରମ୍ପରା ଅନୁଗାମୀ ଥିଲେ । ଆଜିବି ନାଥ ସଂପ୍ରଦାୟ ଭାରତର ବଡ଼ ସନ୍ଥ ସଂପ୍ରଦାୟ ମଧ୍ୟରେ ଅନ୍ୟତମ । ଭାରତର ପ୍ରତି ଭାଗରେ ନାଥ ସଂପ୍ରଦାୟର ମଠ ଓ ମନ୍ଦିର ଦେଖିବାକୁ ମିଳେ । ହଠପ୍ରଦୀପିକା ଗ୍ରନ୍ଥ ରଚନା ଆରମ୍ଭରେ ସନ୍ଥ ସ୍ବାମୀ ସ୍ବାତ୍ମାରାମ ହଠଯୋଗ ପରମ୍ପରାର ସମସ୍ତ ପୂର୍ବଜ, ସିଦ୍ଧଯୋଗୀ ତଥା ଆଚାର୍ଯ୍ୟଙ୍କୁ ପ୍ରଣିପାତ କରି କୃତଜ୍ଞତା ଜ୍ଞାପନ କରିଛନ୍ତି । 


ହଠଯୋଗ ସାଧନାର ଲକ୍ଷ୍ୟ କଣ ? 


ଜୀବନରେ ପ୍ରତି କାର୍ଯ୍ୟ କରିବା ପଛରେ କାରଣ ନିହିତ ଥାଏ । ହଠଯୋଗ ପ୍ରଦୀପିକାରେ ହଠଯୋଗ ସାଧନା କରିବାର ମୂଳ ଲକ୍ଷ୍ୟ ଦର୍ଶାଇବାକୁ ଯାଇ ସ୍ବାମୀ ସ୍ବାତ୍ମାରାମ କହିଛନ୍ତି ଯେ - ହଠଯୋଗ ସାଧନାର ଉପଦେଶ କେବଳ ରାଜଯୋଗ ପ୍ରାପ୍ତି ପାଇଁ ଉଦ୍ଦିଷ୍ଟ । ଅର୍ଥାତ ହଠଯୋଗ ସାଧନାର ଲକ୍ଷ୍ୟ ରାଜଯୋଗ ପ୍ରାପ୍ତି ।


ହଠଯୋଗ ଓ ରାଜଯୋଗ ସମାନ ମୁଦ୍ରାର ଦୁଇ ପାର୍ଶ୍ୱ ପରି । କେବଳ ଗୋଟିଏ ପାର୍ଶ୍ୱରେ ମୁଦ୍ରିତ ମୁଦ୍ରାର କୌଣସି ମୂଲ୍ୟ ନଥିବା ପରି କେବଳ ହଠଯୋଗ କିମ୍ବା ରାଜଯୋଗ ସାଧନା ସଫଳ ହୋଇନଥାଏ । ସ୍ବାମୀ ସ୍ବାତ୍ମାରାମଙ୍କ ଉପଦେଶ ଅନୁସାରେ ହଠଯୋଗ ହେଉଛି ମାଧ୍ୟମ ଏବଂ ରାଜଯୋଗ ହେଉଛି ଚୂଡାନ୍ତ ଲକ୍ଷ୍ୟ । ହଠଯୋଗକୁ ରାଜଯୋଗ ପ୍ରାପ୍ତ କରିବାର ଏକ ମାଧ୍ୟମ ଭାବେ ବିବେଚନା କରାଯାଇଛି । ରାଜଯୋଗକୁ କେବଳ ହଠଯୋଗ ଅଭ୍ୟାସ ଅନୁସରଣ କରି ହାସଲ କରାଯାଇପାରିବ । ଏହା ବ୍ୟତୀତ ରାଜଯୋଗ ହାସଲ କରିବାର ଅନ୍ୟ କୌଣସି ମାଧ୍ୟମ ନାହିଁ । ତେଣୁ ଉଭୟ ହଠଯୋଗ ଓ ରାଜଯୋଗ ପରସ୍ପର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ଉପଦେଶରେ କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । 


ହଠଯୋଗ ପ୍ରଦୀପିକାରେ ଯୋଗର ବିଭିନ୍ନ ଅଙ୍ଗ


ଯୋଗ ଆଚାର୍ଯ୍ୟମାନେ ଯୋଗର ବିଭିନ୍ନ ପ୍ରକାର ବା ଅଙ୍ଗ ଚର୍ଚ୍ଚା କରିଛନ୍ତି । ସ୍ବାମୀ ସ୍ବାତ୍ମାରାମ ହଠପ୍ରଦୀପିକାରେ ପାଞ୍ଚଟି ଉପଦେଶ ମାଧ୍ୟମରେ ଯୋଗର ଚାରିଟି ଅଙ୍ଗର ବର୍ଣ୍ଣନା କରିଛନ୍ତି । ଶେଷ ଉପଦେଶରେ ଭୁଲ୍ ଯୋଗକ୍ରିୟାରୁ ଉତ୍ପନ୍ନ ରୋଗ ଓ ଏହାର ପ୍ରତିକାରର ଉପାୟ ବିଷୟରେ ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଚାରିଟି ସୋପାନରେ ହଠଯୋଗର ବର୍ଣ୍ଣନା ଯୋଗୁ ହଠଯୋଗ ପ୍ରଦୀପିକାକୁ ଚତୁଃରଙ୍ଗ ଯୋଗ ସାଧନା କୁହାଯାଏ । 


ହଠଯୋଗ ପ୍ରଦୀପିକାର ଚାରିଟି ସୋପାନ କଣ କଣ ? 


୧. ଆସନ

୨. କୁମ୍ଭକ ବା ପ୍ରାଣାୟାମ

୩. ମୁଦ୍ରା

୪. ନାଦାନୁସନ୍ଧାନ


ଆସନ- ହଠପ୍ରଦୀପିକାର ପ୍ରଥମ ଉପଦେଶରେ ସ୍ବାମୀ ସ୍ବାତ୍ମାରାମ ଆସନ ଚର୍ଚ୍ଚା କରିଛନ୍ତି । ହଠଯୋଗରେ ଶରୀର ହିଁ ମୁଖ୍ୟ ସାଧନା ମାଧ୍ୟମ । ସ୍ବାମୀ ସ୍ବାତ୍ମାରାମ ମୁଖ୍ୟତଃ ଶାସ୍ତ୍ରରେ ପନ୍ଦରଟି (୧୫)ଟି ଆସନ ସାଧନା ପାଇଁ ଉପଦେଶ ଦେଇଛନ୍ତି । ତାହା ମଧ୍ୟରୁ ସିଦ୍ଧାସନକୁ ସର୍ବଶେଷ୍ଠ ଆସନ ଭାବେ ଗ୍ରହଣ କରାଯାଏ । 


କୁମ୍ଭକ ବା ପ୍ରାଣାୟାମ- ଦ୍ବିତୀୟ ଉପଦେଶରେ ସ୍ବାମୀ ସ୍ବାତ୍ମାରାମ ଆଠ (୮) ପ୍ରକାର କୁମ୍ଭକ ବିଷୟରେ ବର୍ଣ୍ଣନା କରିଛନ୍ତି । ହଠଯୋଗ ପ୍ରଦୀପିକାରେ କୁମ୍ଭକ ଶବ୍ଦର ବ୍ୟବହାରକୁ ନେଇ କିଛି ସାଧକ ସନ୍ଦେହରେ ପଡ଼ିଥାନ୍ତି । ଯୋଗ ଦର୍ଶନରେ କୁମ୍ଭକ ଶବ୍ଦର ଅର୍ଥ ଶ୍ବାସକୁ ଛାତିରେ ଅଟକାଇ ରଖିବା (ଅନ୍ତଃକୁମ୍ଭକ) କିମ୍ବା ଶ୍ବାସତ୍ୟାଗ ପରେ କିଛି ସମୟ ଯାଏ ଶ୍ବାସ ଗ୍ରହଣ କରାନଯିବା ସ୍ଥିତି (ବାହ୍ୟକୁମ୍ଭକ)କୁ ବୁଝାଯାଇଥାଏ । କିନ୍ତୁ ସ୍ବାମୀ ସ୍ବାତ୍ମାରାମ ସମ୍ପୂର୍ଣ୍ଣ ପ୍ରାଣାୟାମ କ୍ରିୟାକୁ କୁମ୍ଭକ ଉଲ୍ଲେଖ କରିଛନ୍ତି ।


ମୁଦ୍ରା- ହଠପ୍ରଦୀପିକାର ତୃତୀୟ ଉପଦେଶରେ ୧୦ ପ୍ରକାର ମୁଦ୍ରା ସାଧନା ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ସମସ୍ତ ମୁଦ୍ରା ମଧ୍ୟରେ ଖେଚରୀ ମୁଦ୍ରାକୁ ଶ୍ରେଷ୍ଠ ମୁଦ୍ରା କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । 


ନାଦାନୁସନ୍ଧାନ- ଚତୁଃରଙ୍ଗ ଯୋଗର ଶେଷ ଅଙ୍ଗ ହେଉଛି ନାଦାନୁସନ୍ଧାନ । ଚତୁର୍ଥ ଉପଦେଶରେ ସ୍ବାମୀ ସ୍ବାତ୍ମାରାମ ନାଦାନୁସନ୍ଧାନର ଚାରିଟି ଅବସ୍ଥା ବିଷୟରେ ବର୍ଣ୍ଣନା କରିଛନ୍ତି । ଯୋଗ ସାଧନାରେ ଯୋଗୀଙ୍କୁ ଶୁଣା ଯାଉଥିବା ବିଭିନ୍ନ ନାଦ ମଧ୍ୟରେ, ନିଷ୍ପତ୍ତି ଅବସ୍ଥାକୁ ଉତ୍ତମ ଅବସ୍ଥା ଭାବେ ଗ୍ରହଣ କରାଯାଏ ।  


ହଠପ୍ରଦୀପିକାରେ କର୍ମଯୋଗକୁ ଗୁରୁତ୍ବ


ସ୍ବାମୀ ସ୍ବାତ୍ମାରାମ ବାହ୍ୟିକ ଆଡ଼ମ୍ବର ବିଷୟରେ ମଧ୍ୟ ଶାସ୍ତ୍ରରେ ଆଲୋଚନା ସହ କର୍ମଯୋଗ ଉପରେ ଗୁରୁତ୍ବ ଦେଇଛନ୍ତି । କେବଳ ଯୋଗୀଙ୍କ ପରି ବେଶଭୂଷା ଧାରଣ କରି, ଯୋଗ ବିଷୟରେ କଥା ଓ କାହାଣୀ ଶୁଣି, ଗ୍ରନ୍ଥ ପଢ଼ି, ଯୋଗ ସମାଲୋଚନା କରି ଯୋଗରେ ସିଦ୍ଧି ପ୍ରାପ୍ତ କରିବା ଅସମ୍ଭବ ବୋଲି କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯୋଗରେ ସିଦ୍ଧି ପ୍ରାପ୍ତ ଆଶାୟୀଙ୍କୁ ଆଳସ୍ୟ ତ୍ୟାଗ ସହ ନିରନ୍ତର ଯୋଗାଭ୍ୟାସ କରିବାକୁ ଏକମାତ୍ର ଉପାୟ ବୋଲି ହଠଯୋଗ ପ୍ରଦୀପିକାରେ କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । କର୍ମଯୋଗକୁ ଯୋଗ ସିଦ୍ଧିର ଆଧାର ଭାବେ ଅଭିହିତ କରାଯାଇଛି । 


ଯୋଗକ୍ରିୟାର ଗୋପନୀୟତା ରକ୍ଷା ଉପରେ ଗୁରୁତ୍ବ


ହଠଯୋଗ ପ୍ରଦୀପିକା ସମେତ ସମସ୍ତ ହଠଯୋଗ ଗ୍ରନ୍ଥରେ ବହୁ କ୍ରିୟାକୁ ଅତ୍ୟନ୍ତ ଗୋପନୀୟ ରଖାଯାଇଛି । ଅନେକ ଗୁଢ଼ ତତ୍ବ ସନ୍ନିବେଶିତ ହୋଇଛି ।  ଯୋଗ ସାଧକଙ୍କ ବ୍ୟତୀତ ଅନ୍ୟ କାହାକୁ ବି ଯେପରି ଏହି ଜ୍ଞାନ ପ୍ରାପ୍ତ ନହେବ, ସେଥିପାଇଁ ମଧ୍ୟ ସତର୍କ ରହିବାକୁ ଚେତାଇ ଦେଇଛନ୍ତି ସିଦ୍ଧ ଯୋଗୀ । ଏହାର ଦୁଇଟି ପ୍ରମୁଖ କାରଣ ରହିଛି । 

(୧) ଅନେକ ଯୋଗକ୍ରିୟା ଅତ୍ୟନ୍ତ ପ୍ରଭାବୀ ହୋଇଥିବାରୁ ପୂର୍ବାପର ଶାରୀରିକ ସ୍ଥିତିକୁ ନଦେଖି କେହି ପ୍ରଥମରୁ ଏହି କ୍ରିୟା ଅଭ୍ୟାସ କଲେ, ଜଟିଳ ଶାରୀରିକ ଓ ମାନସିକ ସମସ୍ୟାର ସାମ୍ନା କରିବା ଆଶଙ୍କା ରହିଛି । 

(୨) ଅଯୋଗ୍ୟ ବ୍ୟକ୍ତି ଏହି ଗୁଣକାରୀ ଚମତ୍କାରୀ କ୍ରିୟା ଗୁଡ଼ିକର କୁବିନିଯୋଗ କରିବା ଆଶଙ୍କା ମଧ୍ୟ ରହିଛି ।  

ଅମୂଲ୍ୟ କ୍ରିୟା ଗୁଡ଼ିକୁ ସୁସଂହତ ଭାବେ ଯୋଗ୍ୟ ସାଧକ ଓ ଜିଜ୍ଞାସୁଙ୍କୁ ଜଣାଇବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ଅଯୋଗ୍ୟ ବ୍ୟକ୍ତି କ୍ରିୟାର ଆନ୍ତରିକ ଉଦ୍ଦେଶ୍ୟକୁ ବୁଝିନପାରି ବାହ୍ୟିକ ଭାବେ ଅଳ୍ପଜ୍ଞାନରେ ଯୋଗକ୍ରିୟାକୁ ହୀନ ଦୃଷ୍ଟିରେ ଦେଖିପାରନ୍ତି ବା ନିରର୍ଥକ ବୋଲି ବିଚାର କରିପାରନ୍ତି । ହୋଇପାରେ ସିଦ୍ଧ ଯୋଗକ୍ରିୟାକୁ ବୁଝି ନପାରି ଅଯୋଗ୍ୟ ବ୍ୟକ୍ତି ଏହାକୁ ନବୀନ ଅଭ୍ୟାସକାରୀଙ୍କୁ ଜଣାଇପାରନ୍ତି । ତେଣୁ ଯୋଗୀ, ଯୋଗକ୍ରିୟା ଗୁଡ଼ିକୁ କେବଳ ସାଧନାକାରୀଙ୍କୁ ଧାରାବାହିକ ଭାବେ ଜଣାଇବା ଉପରେ ଜୋର୍ ଦେଇଛନ୍ତି । 


ହଠଯୋଗ ପ୍ରଦୀପିକାରେ ଭାଷା ଅଳଙ୍କାର ବ୍ୟବହାର


ପ୍ରତ୍ୟେକ ଲେଖକଙ୍କ ନିଜସ୍ବ ଶୈଳୀ ରହିଛି । ଯେଉଁଥିରେ ସେ ନିଜ ମନୋଭାବନା ପରିପ୍ରକାଶ କରିଥାନ୍ତି । ସ୍ବାମୀ ସ୍ବାତ୍ମାରାମ ହଠଯୋଗ ପ୍ରଦୀପିକାରେ ବହୁ ସ୍ଥାନରେ ଭାଷା ଅଳଙ୍କାର ବ୍ୟବହାର କରିଛନ୍ତି । ଜଟିଳ ବିଷୟକୁ ସୁଖପାଠ୍ୟ ଓ ଆକର୍ଷଣୀୟ କରିବାକୁ କିଛି ସ୍ଥାନରେ ଅଳଙ୍କାର ବ୍ୟବହାର କରିଛନ୍ତି । ହଠଯୋଗ ପ୍ରଦୀପିକାରେ ଏହାର କିଛି ଉଦାହରଣ ଉପରେ ନଜର ପକାନ୍ତୁ ।

 

ମୃତ୍ୟୁଞ୍ଜୟ ବା ମୃତ୍ୟୁକୁ ଜୟ କରିବା: ହଠଯୋଗ ଗ୍ରନ୍ଥରେ ଏକାଧିକ ଥର ଏହି ବାକ୍ୟର ବ୍ୟବହାର ଦେଖିବାକୁ ମିଳେ । ଏହାର ଅର୍ଥ ହଠଯୋଗ ଦ୍ୱାରା `ମୃତ୍ୟୁକୁ ଜୟ କରାଯାଇ ପାରିବ' ଏହା ନୁହେଁ । ହଠଯୋଗ ଅଭ୍ୟାସ ମାଧ୍ୟମରେ ଆତ୍ମା ଓ ପରମାତ୍ମାର ମିଳନ, ଏକାତ୍ମ ବା ଏକୀକରଣ ହୋଇଥାଏ । ଯାହାପରେ ସାଧକ ମନରୁ ମୃତ୍ୟୁ ଭୟ ଦୂର ହୋଇଯାଏ । ତେଣୁ ହଠଯୋଗୀଙ୍କୁ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତି ବା ମୃତ୍ୟୁ଼ଞ୍ଜୟ ବୋଲି କହିଛନ୍ତି ସ୍ବାମୀ ସ୍ବାତ୍ମାରାମ ।  


ସମସ୍ତ ରୋଗର ସମାପ୍ତି: ହଠଯୋଗ ପ୍ରଦୀପିକାରେ ଅନେକ ଅଧ୍ୟାୟରେ ଯୋଗ ଅଭ୍ୟାସ ମାଧ୍ୟମରେ ସାଧକଙ୍କ ଶରୀରରୁ ସମସ୍ତ ରୋଗ ଦୂର ହୋଇଯାଏ ବୋଲି କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଏହାର ଅର୍ଥ ସବୁ ରୋଗରୁ ମୁକ୍ତି ନୁହେଁ ବରଂ ଯୋଗ ଦ୍ବାରା ଅଧିକାଂଶ ରୋଗରୁ ଆରୋଗ୍ୟ ପ୍ରାପ୍ତି ।


ବୃଦ୍ଧ ବି ଯୁବକ ହୋଇଯାଆନ୍ତି: ହଠଯୋଗ ପ୍ରଦୀପିକାରେ ବିଭିନ୍ନ ମୁଦ୍ରା ସାଧନା ଦ୍ବାରା ବୃଦ୍ଧ ମଧ୍ୟ ଯୁବକ ହୋଇଯାଆନ୍ତି ବୋଲି ବର୍ଣ୍ଣନା ରହିଛି । ଏହାର ପ୍ରକୃତ ଅର୍ଥ ବୃଦ୍ଧ ଯୁବକ ହୋଇଯିବା ନୁହେଁ । ବରଂ ମୁଦ୍ରା ଅଭ୍ୟାସ ମାଧ୍ୟମରେ ଶରୀରରେ ନୂତନ ଶକ୍ତି ଏବଂ ଉତ୍ସାହ ସୃଷ୍ଟି ହୁଏ ବୋଲି କୁହାଯାଇଛି । 


ହଠଯୋଗ ପ୍ରଦୀପିକାର ସମସ୍ତ ଉପଦେଶ (ଅଧ୍ୟାୟ)ର ସଂକ୍ଷିପ୍ତ ପରିଚୟ


ଏବେ ଆମେ ହଠଯୋଗ ପ୍ରଦୀପିକାର ସମସ୍ତ ପଞ୍ଚଉପଦେଶ ଉପରେ ନଜର ପକାଇବା । ସ୍ବାମୀ ସ୍ବାତ୍ମାରାମ ହଠଯୋଗର ପ୍ରତ୍ୟେକ ଅଂଶକୁ ହଠପ୍ରଦୀପିକାର ପ୍ରଥମ ଚାରି ଅଧ୍ୟାୟରେ ଆଲୋଚନା କରିଛନ୍ତି । ଶେଷ ପଞ୍ଚମ ଅଧ୍ୟାୟରେ ଭୁଲ ଯୋଗାଭ୍ୟାସ ହେତୁ ସୃଷ୍ଟି ହେଉଥିବା ରୋଗର ଯୌଗିକ ଚିକିତ୍ସା ପଦ୍ଧତି ବିଷୟରେ ବର୍ଣ୍ଣନା କରିଛନ୍ତି।


ହଠଯୋଗ ପ୍ରଦୀପିକାର ପ୍ରଥମ ଉପଦେଶ (ପ୍ରଥମ ଅଧ୍ୟାୟ)


ପ୍ରଥମ ଉପଦେଶ ଆରମ୍ଭ ପୂର୍ବରୁ ସ୍ବାମୀ ସ୍ୱାତ୍ମାରାମ ଆଦିନାଥ ଶିବଙ୍କୁ ପ୍ରଣିପାତ କରିବା ପରେ ସମସ୍ତ ପୂର୍ବଜ ସିଦ୍ଧ ଯୋଗୀଙ୍କୁ ପ୍ରଣାମ କରିଛନ୍ତି । ସିଦ୍ଧ ଗୁରୁ ମତ୍ସେନ୍ଦ୍ର ନାଥ, ଶାବର ନାଥ, ଆନନ୍ଦ ଭୈରବ ନାଥ, ଚୌରଙ୍ଗୀ ନାଥ, ମୀନ ନାଥ, ଗୁରୁ ଗୋରକ୍ଷ ନାଥ, ଚର୍ପତୀ ନାଥ, ଚଳ୍ପଟି ନାଥ, ନିଳଞ୍ଜନ ନାଥ, ନିତ୍ୟ ନାଥ, ଟିଣ୍ତିଣୀ ନାଥ, ଭଲ୍ଲରୀ ନାଥ, ନାଗବୋଧ ନାଥ, ଖଣ୍ତ କାପାଳିକା ନାଥ, ବିନ୍ଦୁ ନାଥ , କଣେରୀ ନାଥ, କୋରଣ୍ଟକ ନାଥ, ଭୈଳବ ନାଥ, ଅକ୍ଷୟ ନାଥ, ମୟ ନାଥ, କହ୍ନଡୀ ନାଥ, ବିରୂପାକ୍ଷ ନାଥ, ସୁରାନନ୍ଦ ନାଥ, ସିଦ୍ଧ ନାଥ, ପାଦ ନାଥଙ୍କ ସମେତ ୩୮ ଜଣ ସିଦ୍ଧାଚାର୍ଯ୍ୟଙ୍କୁ ଯୋଗଜ୍ଞାନ ପ୍ରଦାନ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନାଥ ସଂପ୍ରଦାୟରେ ମତ୍ସ୍ୟେନ୍ଦ୍ର ନାଥଙ୍କୁ ଆଦିନାଥ ଭାବରେ ଗ୍ରହଣ କରାଯାଇଛି । ନାଥ ସଂପ୍ରଦାୟର ଗୋରଖ ନାଥ ଥିଲେ ପ୍ରମୁଖ ଗୁରୁ । ଗୋରଖ ନାଥ ସଂହିତାରେ ଚଉରାଅଶି (୮୪) ଜଣ ସିଦ୍ଧ ସାଧକଙ୍କ ନାମ ଉଲ୍ଲେଖ ରହିଛି । ଧର୍ମ ସଂପ୍ରଦାୟ ଦୃଷ୍ଟିରୁ ନାଥ ଶବ୍ଦ ଗୋରଖ ପନ୍ଥୀ ଯୋଗୀଙ୍କ ଉପାଧିକୁ ବୁଝାଇଥାଏ । ନାଥ ଶବ୍ଦର ବାଖ୍ୟା ମଧ୍ୟ ଭିନ୍ନ ଭିନ୍ନ ଭାବରେ କରାଯାଇଥାଏ । ନ’କାର ଅର୍ଥ ଅନାଦି ରୂପ, ଓ ‘ଥ’ କାର ଅର୍ଥ ତ୍ରିଭୂବନର ସ୍ଥିତିକୁ ଧରାଯାଏ । 


“ନ’ କାର ଅନାଦି ରୂପ     “ଥ ” କାର ଭୂବନ ସ୍ଥିତି ।”

ନାଥ ଯୋଗୀମାନେ ଯୋଗର ଐଶ୍ୱର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇଥିବାରୁ ସେମାନଙ୍କୁ ନାଥ ବା ପ୍ରଭୁ ଭାବରେ ଗ୍ରହଣ କରାଯାଇଛି । ଭାରତରେ ଅସଂଖ୍ୟ ଯୋଗଭିତ୍ତିକ ସଂପ୍ରଦାୟର ସ୍ଥିତି ଥିଲେ ମଧ୍ୟ ନାଥ ପ୍ରବର୍ତ୍ତକ ଓ ପ୍ରଚାରକଗଣଙ୍କୁ ‘ନାଥ’ ପଦବୀରେ ଭୂଷିତ କରାଯାଇଛି । ଯେଉଁମାନେ ଏହି ଧର୍ମକୁ ଗ୍ରହଣ କରନ୍ତି, ସେମାନେ ଯେକୌଣସି ଜାତି, ବର୍ଣ୍ଣ, ସଂପ୍ରଦାୟ, ବା ଗୋଷ୍ଠୀର ହୋଇଥିଲେବି ସର୍ବପ୍ରଥମେ ନିଜର କୌଳିକ ପରିଚୟ ପରିତ୍ୟାଗ କରି ଗୁରୁଙ୍କ ଦ୍ବାରା ନାଥ ଉପାଧିରେ ଭୂଷିତ ହୋଇଥାନ୍ତି । ନାଥ ଧର୍ମର ଉପାସ୍ୟ ଦେବତା ହେଉଛନ୍ତି ଆଦିନାଥ ଶିବ ।


ଭାରତବର୍ଷର ଉଦାର ଚିନ୍ତନ ମଧ୍ୟରେ ଅନେକ ଧର୍ମର ପ୍ରବାହ ଘଟି ଭାରତୀୟମାନଙ୍କ ଆଚରିତ ଧର୍ମରୂପେ ସ୍ବୀକୃତ ହୋଇଆସିଛି । ଚତୁର୍ଦ୍ଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀ କାଳଖଣ୍ଡରେ ଏଭଳି ଅନେକ ଧର୍ମର ଅବବୋଧ ଜନଚିନ୍ତନକୁ ପ୍ରଭାବିତ କରିଆସିଛି । ଧର୍ମଧାରାରେ ଯୋଗମାର୍ଗକୁ ମୋକ୍ଷମାର୍ଗର ପଥ ଦର୍ଶାଯାଇଛି । ଭାରତବର୍ଷରେ ନାଥ ଧର୍ମ ଏକ ଯୋଗ ଭିତ୍ତିକ ପ୍ରମୁଖ ଧର୍ମ ।


ହଠଯୋଗ ସାଧନା ପାଇଁ ଉପଯୁକ୍ତ ସ୍ଥାନ


ହଠପ୍ରଦୀପିକାରେ ଯୋଗ ସାଧନା ଆରମ୍ଭ କରିବା ପୂର୍ବରୁ ଯୋଗୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଯୋଗାଭ୍ୟାସ ସ୍ଥାନକୁ ସ୍ବାମୀ ସ୍ବାତ୍ମାରାମ 'ମାଠିକା' ଅର୍ଥାତ୍ କୁଟୀର ବୋଲି କହିଛନ୍ତି । ସାଧନାକାରୀ ନିୟମିତ ଯୋଗାଭ୍ୟାସ ପାଇଁ ଏକ ନିର୍ଜନ ସ୍ଥାନ ଚୟନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯେଉଁଠାରେ ଧାର୍ମିକ ବାତାବରଣ ସହ ଶୃଙ୍ଖଳା ବିଦ୍ୟମାନ ରହିଥାଏ । ଏହାସହ ଯୋଗ କୁଟୀରର ବ୍ୟାଖ୍ୟା କରିବାକୁ ଯାଇ ସ୍ବାମୀ ସ୍ବାତ୍ମାରାମ ଏହାର ଆକାର ଓ ନିର୍ମାଣ ଶୈଳୀ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଯୋଗ କୁଟୀରର ଚର୍ତୁପାଶ୍ବରେ ଚାରି ହାତ ପ୍ରମାଣ ଅର୍ଥାତ ପ୍ରାୟ ୨୫ ଫୁଟ ଯାଏ କୌଣସି ଶିଳା, ଅଗ୍ନି କିମ୍ବା ଜଳାଶୟ ନଥିବା  ଆବଶ୍ୟକ । ଏହାର ଫାଟକ ଛୋଟ ହେବା ଉଚିତ୍ । ଫାଟକରେ କୌଣସି ଛିଦ୍ର ନଥିବା ଆବଶ୍ୟକ । ଭୂମି ସମତଳ ହେବା ସହ ଗୋବରରେ ଲିପା ହୋଇଥିବା ଜରୁରୀ । କୁଟୀର ବାହାରେ ମଣ୍ଡପ, ଯଜ୍ଞବେଦୀ ଓ କୂପ ଥିବା ଆବଶ୍ୟକ । ଏହାସହ କୁଟୀରର ଚାରିପାଖରେ ପାଚେରୀ ନିର୍ମାଣ କରାଯିବା ଉଚିତ୍ ବୋଲି ସ୍ବାମୀ ସ୍ବାତ୍ମାରାମ କହିଛନ୍ତି । 


ହଠଯୋଗ ପ୍ରଦୀପିକାରେ ସାଧକ ଓ ବାଧକ ତତ୍ତ୍ବ


ଯୋଗ ସାଧନାରେ ବାଧକ ଓ ସାଧକ ତତ୍ତ୍ବର ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯୋଗ ସାଧକମାନେ ବାଧକ ତତ୍ତ୍ବକୁ ପରିତ୍ୟାଗ କରିବା ସହ ସାଧକ ତତ୍ତ୍ବକୁ ଆପଣାଇବାକୁ ଦେଇଛନ୍ତି ପରାମର୍ଶ । 


ବାଧକ ତତ୍ତ୍ବ କଣ?


ଯୋଗ ସାଧନାରେ ବାଧା ସୃଷ୍ଟି କରୁଥିବା ଛଅ(୬) ବାଧକ ତତ୍ତ୍ବକୁ ପରିତ୍ୟାଗ କରିବାକୁ କହିଛନ୍ତି ସ୍ବାମୀ ସ୍ବାତ୍ମାରାମ । ସାଧନାରେ ସିଦ୍ଧି ପ୍ରାପ୍ତି ପାଇଁ ଏହି ବାଧକ ତତ୍ତ୍ବ ଗୁଡ଼ିକଠୁ ଦୂରେଇ ରହିବାକୁ ଦେଇଛନ୍ତି ପରାମର୍ଶ । ଛଅଟି ବାଧକ ତତ୍ତ୍ବ ହେଉଛି ଯଥାକ୍ରମେ- 

୧. ଅତ୍ୟାହାର (ଅତ୍ୟଧିକ ଭୋଜନ)

୨. ପ୍ରଗଳ୍ଭ (ଅତ୍ୟଧିକ କଥା କହିବା)

୩. ପ୍ରୟାସ ( ଅତ୍ୟଧିକ ପରିଶ୍ରମ କରିବା)

୪. ନିୟମଗ୍ରହ (ନିୟମ ପାଳନରେ କଠୋରତା)

୫. ଜନସଙ୍ଗ ( ଅତ୍ୟଧିକ ଲୋକ ସମ୍ପର୍କ)

୬. ଚଞ୍ଚଳତା (ମନ ଅତ୍ୟଧିକ ଚଞ୍ଚଳ ହେବା)


ସାଧକ ତତ୍ତ୍ବ କଣ?


ଯୋଗ ସାଧନରେ ସାହାଯ୍ୟ କରୁଥିବା ଛଅ(୬)ପ୍ରକାର ସାଧକ ତତ୍ତ୍ବକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ଏହି ତତ୍ତ୍ବ ଗୁଡ଼ିକୁ ଆପଣାଇବା ଫଳରେ ଯୋଗ ସାଧନା ସହଜ ହୋଇଥାଏ । ହଠଯୋଗ ପ୍ରଦୀପିକାରେ ବର୍ଣ୍ଣିତ ଛଅ ପ୍ରକାର ସାଧକ ତତ୍ତ୍ବ ଗୁଡ଼ିକ ହେଉଛି ଯଥାକ୍ରମେ-

୧. ଉତ୍ସାହ

୨. ସାହସ

୩. ଧୈର୍ଯ୍ୟ

୪. ତତ୍ତ୍ବଜ୍ଞାନ

୫. ଦୃଢ଼ ନିଶ୍ଚୟ

୬. ଜନସଙ୍ଗ ପରିତ୍ୟାଗ


ହଠଯୋଗ ପ୍ରଦୀପିକାରେ ଯମ ଓ ନିୟମ ବର୍ଣ୍ଣନା


ସ୍ବାମୀ ସ୍ବାତ୍ମାରାମ ହଠପ୍ରଦୀପିକାରେ ଦଶ(୧୦) ପ୍ରକାର ଯମ ଓ ଦଶ (୧୦) ପ୍ରକାର ନିୟମ ଉଲ୍ଲେଖ କରିଛନ୍ତି । 


ହଠଯୋଗ ପ୍ରଦୀପିକାରେ ୧୦ ପ୍ରକାର- ଯମ 


୧. ଅହିଂସା

୨. ସତ୍ୟ

୩. ଅସ୍ତେୟ

୪. ବ୍ରହ୍ମଚର୍ଯ୍ୟ

୫. କ୍ଷମା

୬. ଧୃତି

୭. ଦୟା

୮. ଆର୍ଜବଂ

୯. ମିତାହାର

୧୦. ଶୌଚ


ହଠଯୋଗ ପ୍ରଦୀପିକାରେ ୧୦ ପ୍ରକାର- ନିୟମ


୧. ତପ

୨. ସନ୍ତୋଷ

୩. ଆସ୍ତିକ୍ୟମ୍

୪. ଦାନ

୫. ଇଶ୍ବର ପୂଜନ

୬. ସିଦ୍ଧାନ୍ତ ଶ୍ରବଣ

୭. ଲଜ୍ଜା

୮. ମତି

୯. ତପ

୧୦. ହବନ


ହଠଯୋଗ ପ୍ରଦୀପିକାରେ ଯୋଗାସନ


ସ୍ବାମୀ ସ୍ବାତ୍ମାରାମ ଚତୁଃରଙ୍ଗ ଯୋଗର ବର୍ଣ୍ଣନା କରିଥିବାବେଳେ ଯୋଗାସନକୁ ପ୍ରଥମ ଉପଦେଶରେ ସ୍ଥାନ ଦେଇଛନ୍ତି । ସର୍ବପ୍ରଥମେ ଯୋଗାସନର ଲାଭ ଦର୍ଶାଇବାକୁ ଯାଇ ପନ୍ଦର (୧୫) ପ୍ରକାର ଯୋଗାସନର ବର୍ଣ୍ଣନା କରିଛନ୍ତି । ଯେଉଁ ଆସନ ଗୁଡ଼ିକ ହେଉଛି-

୧. ସ୍ବସ୍ତିକାସନ

୨. ଗୋମୁଖାସନ

୩. ବୀରାସନ

୪. କୁର୍ମାସନ

୫. କୁକ୍କୁଟାସନ

୬. ଉତ୍ତାନକୁର୍ମାସନ

୭. ଧନୁରାସନ

୮. ମତ୍ସେନ୍ଦ୍ରାସନ

୯. ପଶ୍ଚିମୋତ୍ତାସନ

୧୦. ମୟୂରାସନ

୧୧. ଶବାସନ

୧୨. ସିଦ୍ଧାସନ

୧୩. ପଦ୍ମାସନ

୧୪. ସିଂହାସନ

୧୫. ଭଦ୍ରାସନ


ହଠପ୍ରଦୀପିକାରେ ପ୍ରମୁଖ ଆସନ ବା ଶ୍ରେଷ୍ଠ ଆସନ


ଆସନ ଗୁଡ଼ିକ ମଧ୍ୟରେ 4ଟି ଆସନକୁ ଶ୍ରେଷ୍ଠଆସନ ମାନ୍ୟତା ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ସେଗୁଡ଼ିକ ହେଉଛି ସିଦ୍ଧାସନ, ପଦ୍ମାସନ, ସିଂହାସନ ଓ ଭଦ୍ରାସନ । ସମସ୍ତ ଆସନ ମଧ୍ୟରେ ସିଦ୍ଧାସନକୁ ସର୍ବଶ୍ରେଷ୍ଠ ଆସନ କହିଛନ୍ତି ସ୍ବାମୀ ସ୍ବାତ୍ମାରାମ ।


ହଠପ୍ରଦୀପିକାରେ ଆହାରର ମହତ୍ବ


ସ୍ବାମୀ ସ୍ବାତ୍ମାରାମ ମାନବ ଶରୀର ପାଇଁ ଆହାରର ମହତ୍ବକୁ ଦୃଷ୍ଟିରେ ରଖି ହଠଯୋଗ ପ୍ରଦୀପିକା ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି । ଆହାରକୁ ତିନି (୩)ଭାଗରେ ବିଭକ୍ତ କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯଥା- 


୧. ମିତାହାର- ଯୋଗୀଙ୍କ ପାଇଁ ଉପଯୁକ୍ତ

୨. ଅପଥ୍ୟ, ନିଷେଧ ବା ବର୍ଜିତ ଆହାର- ଯୋଗୀଙ୍କ ପାଇଁ ବର୍ଜିତ ଆହାର

୩. ପଥ୍ୟ, ହିତକର ଆହାର- ଯୋଗୀଙ୍କ ପାଇଁ ଗ୍ରହଣଯୋଗ୍ୟ ଆହାର


ହଠଯୋଗ ପ୍ରଦୀପିକାର ଦ୍ବିତୀୟ ଉପଦେଶ (ଦ୍ବିତୀୟ ଅଧ୍ୟାୟ)


ଦ୍ୱିତୀୟ ଅଧ୍ୟାୟରେ ମୁଖ୍ୟତ ପ୍ରାଣାୟାମ ଓ ଷଟକର୍ମ ବିଷୟରେ ବର୍ଣ୍ଣନା କରାଯାଇଛି । ସର୍ବପ୍ରଥମେ ସ୍ବାମୀ ସ୍ବାତ୍ମାରାମ ନାଡ଼ିଶୋଧନ ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରାଣାୟାମ କରିବା ପୂର୍ବରୁ ନାଡ଼ିଶୋଧନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ନାଡ଼ିଶୋଧନ ମାଧ୍ୟମରେ ଯୋଗାଭ୍ୟାସକାରୀ ନାଡ଼ିକୁ ଶୁଦ୍ଧ କରିଥାନ୍ତି । ଏହାପରେ ଅନ୍ୟ ପ୍ରାଣାୟାମ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । 


ହଠଯୋଗ ପ୍ରଦୀପିକାରେ ଷଟକର୍ମ ବର୍ଣ୍ଣନା


ସ୍ବାମୀ ସ୍ବାତ୍ମାରାମ ଯୋଗ ସାଧକଙ୍କ ପାଇଁ ଷଟକର୍ମକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି । ଯେଉଁ ସାଧକଙ୍କ ଶରୀରରେ ଚର୍ବି ଜମା ହୋଇଥାଏ, କିମ୍ବା କଫ ଦୋଷ ରହିଥାଏ, ସେମାନେ ସର୍ବପ୍ରଥମେ ଷଟକର୍ମ ଅଭ୍ୟାସ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାମୀ ସ୍ବାତ୍ମାରାମ । ମୁଖ୍ୟତଃ ଶରୀରରେ ବାତ, ପିତ୍ତ ଓ କଫ ସନ୍ତୁଳିତ କରିବାକୁ ଷଟକର୍ମର ଆବଶ୍ୟକତା ରହିଥାଏ । ହଠଯୋଗ ପ୍ରଦୀପିକାରେ ସ୍ବାମୀ ସ୍ବାତ୍ମାରାମ ବର୍ଣ୍ଣନା କରିଥିବା ଷଟକର୍ମ ହେଉଛି, ଯଥାକ୍ରମେ-

୧. ଧୌତି

୨. ବସ୍ତି

୩. ନେତି

୪. ତ୍ରାଟକ

୫. ନୌଳି

୬. କପାଳଭାତି


ଯୋଗଶାସ୍ତ୍ର ଘେରଣ୍ଡ ସଂହିତାରେ ବର୍ଣ୍ଣିତ ଷଟକର୍ମରେ ଚତୁର୍ଥ ସ୍ଥାନରେ ନୌଳି ଓ ପଞ୍ଚମ ସ୍ଥାନରେ ତ୍ରାଟକ ରହିଥିବାବେଳେ ହଠପ୍ରଦୀପିକାରେ ଏହାର ଓଲଟା ଅର୍ଥାତ୍ ଚତୁର୍ଥରେ ତ୍ରାଟକ ଓ ପଞ୍ଚମରେ ନୌଳି କ୍ରିୟାକୁ ରଖାଯାଇଛି । 


ହଠପ୍ରଦୀପିକାରେ କୁମ୍ଭକ ବା ପ୍ରାଣାୟାମ ବର୍ଣ୍ଣନା


ଘେରଣ୍ଡ ସଂହିତା ପରି ହଠଯୋଗ ପ୍ରଦୀପିକାରେ ମଧ୍ୟ ଆଠ(୮) ପ୍ରକାର କୁମ୍ଭକ ବା ପ୍ରାଣାୟାମ ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯଥା-

୧. ସୂର୍ଯ୍ୟଭେଦୀ

୨. ଉଜ୍ଜୟୀ

୩. ସିତ୍କାରୀ

୪. ଶୀତଳୀ

୫. ଭସ୍ତ୍ର୍ରିକା

୬. ଭ୍ରାମରୀ

୭. ମୂର୍ଚ୍ଛା

୮. ପ୍ଳାବିନୀ


ହଠଯୋଗ ପ୍ରଦୀପିକାର ତୃତୀୟ ଉପଦେଶ (ତୃତୀୟ ଅଧ୍ୟାୟ)


ତୃତୀୟ ଉପଦେଶରେ ସ୍ବାମୀ ସ୍ବାତ୍ମାରାମ ମୁଦ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି । କୁଣ୍ଡଳିନୀ ଶକ୍ତିକୁ ଜାଗ୍ରତ କରିବାକୁ ମୁଦ୍ରା ଅଭ୍ୟାସକୁ ଗୁରୁତ୍ବ ଦିଆଯାଏ । ହଠପ୍ରଦୀପିକାରେ ଦଶ(୧୦) ପ୍ରକାର ମୁଦ୍ରା ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯଥା-

୧. ମହାମୁଦ୍ରା

୨. ମହାବନ୍ଧ

୩. ମହାବେଧ

୪. ଖେଚରୀ

୫. ଉଡ୍ଡିୟାନ ବନ୍ଧ

୬. ମୂଳବନ୍ଧ

୭. ଜଳନ୍ଧର ବନ୍ଧ

୮. ବିପରୀତକରଣୀ

୯. ବଜ୍ରୋଲୀ

୧୦. ଶକ୍ତିଚାଳିନୀ


ସମସ୍ତ ମୁଦ୍ରା ମଧ୍ୟରେ ଖେଚରୀ ମୁଦ୍ରାକୁ ସର୍ବଶ୍ରେଷ୍ଠ ମୁଦ୍ରା ଭାବେ ଗ୍ରହଣ କରିଛନ୍ତି ସ୍ବାମୀ ସ୍ବାତ୍ମାରାମ ।


ହଠଯୋଗ ପ୍ରଦୀପିକାର ଚତୁର୍ଥ ଉପଦେଶ (ଚତୁର୍ଥ ଅଧ୍ୟାୟ)


ଚତୁର୍ଥ ଅଧ୍ୟାୟରେ ସ୍ବାମୀ ସ୍ବାତ୍ମାରାମ ନାଦାନୁସନ୍ଧାନ ବିଷୟରେ ଚର୍ଚ୍ଚା କରିଛନ୍ତି । ହଠଯୋଗ ପ୍ରଦୀପିକାରେ ନାଦାନୁସନ୍ଧାନକୁ ଯୋଗର ଅନ୍ତିମ ଅଙ୍ଗ ଭାବେ ଗ୍ରହଣ କରାଯାଏ । ନାଦାନୁସନ୍ଧାନରେ ଚାରି(୪) ଅବସ୍ଥା ବିଷୟରେ ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଯଥା-

୧. ଆରମ୍ଭ ଅବସ୍ଥା

୨. ଘଟ ଅବସ୍ଥା

୩. ପରିଚୟ ଅବସ୍ଥା

୪. ନିଷ୍ପତ୍ତି ଅବସ୍ଥା


ଧ୍ୟାନ କରିବା ସମୟରେ ସାଧକଙ୍କୁ ଶୁଣାଯାଉଥିବା ଶବ୍ଦ ଅନୁସାରେ ସାଧନାର ଅଗ୍ରଗତି ଜଣାପଡ଼ିଥାଏ । ପ୍ରତି ଅବସ୍ଥାରେ ସାଧକଙ୍କ ଲକ୍ଷଣ ବିଷୟରେ ମଧ୍ୟ ବିସ୍ତୃତ ବର୍ଣ୍ଣନା କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଚତୁର୍ଥ ଅଧ୍ୟାୟରେ ହିଁ ଯୋଗ ସାଧନାର ଅନ୍ତିମ ଲକ୍ଷ୍ୟ ସମାଧି ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି । ସମାଧିର ଶୋହଳ(୧୬) ପ୍ରକାର ସମାନାର୍ଥକ ଶବ୍ଦ ପ୍ରୟୋଗ କରିଛନ୍ତି ସ୍ବାମୀ ସ୍ବାତ୍ମାରାମ । ଶରୀରରେ ବାସ୍ତୋରୀ ହଜାର(୭୨,୦୦୦) ନାଡ଼ି ବର୍ଣ୍ଣନା ସହ ଇଡ଼ା, ପିଙ୍ଗଳା ଓ ସୁଷୁମ୍ନା ନାଡ଼ିକୁ ମୁଖ୍ୟ ନାଡ଼ି କହିଛନ୍ତି ସ୍ୱାମୀ ସ୍ବାତ୍ମାରାମ । ଚତୁରଙ୍ଗ ଯୋଗର ଚତୁର୍ଥ ଅଧ୍ୟାୟରେ ଲୟଯୋଗର ଲକ୍ଷ୍ୟଣ ବିଷୟରେ ମଧ୍ୟ ଚର୍ଚ୍ଚା କରାଯାଇଛି ।


ହଠଯୋଗ ପ୍ରଦୀପିକାର ପଞ୍ଚମ ଉପଦେଶ (ପଞ୍ଚମ ଅଧ୍ୟାୟ)


ପଞ୍ଚମ ଅଧ୍ୟାୟରେ ସ୍ବାମୀ ସ୍ବାତ୍ମାରାମ ମୁଖ୍ୟତଃ ଯୌଗିକ ଚିକିତ୍ସା ବିଷୟରେ ବର୍ଣ୍ଣନା କରିଛନ୍ତି । ଭୁଲ ଯୋଗକ୍ରିୟା ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ସମସ୍ୟା ଓ ଏହାର ସମାଧାନର ମାର୍ଗଦର୍ଶନ କରାଯାଇଛି । ଶରୀରରେ ବାତ, ପିତ୍ତ ଓ କଫ ଜନିତ ସମସ୍ୟାକୁ ବିସ୍ତୃତ ବର୍ଣ୍ଣନା କରାଯାଇଛି । ଶରୀରରେ ବାତ ଅସନ୍ତୁଳନ ଯୋଗୁ ଅଶୀ(୮୦) ପ୍ରକାର, ପିତ୍ତ ଅସନ୍ତୁଳନ ଯୋଗୁ ଚାଳିଶି(୪୦) ପ୍ରକାର ଓ କଫ ଅସନ୍ତୁଳନ ଯୋଗୁ ହେଉଥିବା କୋଡ଼ିଏ(୨୦) ପ୍ରକାର ରୋଗ ଓ ଏହାର ଉପଚାର ବିଷୟ ବର୍ଣ୍ଣିତ ହୋଇଛି । 


REFERENCES:

1. Hatha Yoga Pradipika,Commentary by Gyan Shankar Sahay

2. Gheranda Sanhita, Publisher- Kaivalyadhama 

3. Asana, Pranayama,Mudra & Bandha by Swami Satyananda Saraswati, Bihar School of  Yoga, Munger