Why yogis do not eat  non veg according to vedas  Yogashree

ଯୋଗୀ ଆମିଷ ଖାଆନ୍ତି ନାହିଁ କାହିଁକି ?

ଯୋଗ କରିବା ସହ ଆମିଷ ଖାଦ୍ୟର ସମ୍ପର୍କ କଣ ?

ଆମିଷ ଖାଦ୍ୟ ଖାଇ କଣ ଯୋଗ କରାଯାଇ ପାରିବ ନାହିଁ ?

ଆମିଷ ଖାଇ ଯୋଗ କଲେ କଣ କ୍ଷତି ହେବ ?


ପ୍ରତି ଯୋଗ ସାଧକଙ୍କୁ ଯୋଗ ଆରମ୍ଭ କରିବା ସମୟରେ ଯୋଗଗୁରୁ ସାତ୍ତ୍ବିକ ଖାଦ୍ୟ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି । ଏହାର ମୁଖ୍ୟ କାରଣ ଯୋଗ କେବଳ ଶରୀର ଗଠନ ପାଇଁ କିମ୍ବା ସୁସ୍ଥ ଶରୀର ଗଠନ ପାଇଁ ନୁହେଁ ବରଂ ଯୋଗ ଏକ ଆଧ୍ୟାତ୍ମିକ ସାଧନା । ଯାହା ଶରୀର ଓ ମନକୁ ସନ୍ତୁଳିତ କରିବା ସହ ପରମାତ୍ମା ସହ ମିଳନ କରାଇଥାଏ । ପଞ୍ଚ ଇନ୍ଦ୍ରୀୟ ପ୍ରଭାବରେ ନିମ୍ନଗାମୀ ମନକୁ ଆୟତ୍ତ କରି ଉର୍ଦ୍ଧ୍ବଗାମୀ କରିବାକୁ ଯୋଗ ସାଧନା କୁହାଯାଏ । ଆମିଷ ଖାଦ୍ୟ ସାତ୍ତ୍ବିକ ପ୍ରର୍ଯ୍ୟାୟର ଖାଦ୍ୟ ହୋଇନଥିବାରୁ ଦୂରେଇ ରହିବାକୁ ଗୁରୁ ପରାମର୍ଶ ଦେଇଥାନ୍ତି । ଆମିଷ ଭକ୍ଷଣ କରି କେହି ଯୋଗ ଅଭ୍ୟାସ କରିପାରେ କିନ୍ତୁ ତାଙ୍କୁ ଯୋଗର ଲାଭ ମିଳିବା ଅସମ୍ଭବ । ମହର୍ଷି ପତଞ୍ଜଳିଙ୍କ ଯୋଗସୁତ୍ରର ପ୍ରଥମ ସୁତ୍ର- ଅଥ ଯୋଗାନୁଶାସନମ୍ । ପ୍ରଥମ ସୁତ୍ରରେ ହିଁ ପ୍ରବୃତ୍ତିର ଦାସ ହେବା ପରିବର୍ତ୍ତେ ପ୍ରବୃତ୍ତିକୁ ଦାସ କରିବାକୁ ପରାମର୍ଶ ଦେଇଛନ୍ତି ଗୁରୁ । 

अथ योगानुशासनम्

ଅଭ୍ୟାସଗତ ଭାବେ ଆପଣ ଆମିଷ ଖାଦ୍ୟ ଖାଉଛନ୍ତି । ଆମିଷ ଖାଦ୍ୟ ଆପଣଙ୍କୁ ସ୍ବାଦିଷ୍ଟ ବି ଲାଗୁଛି । ଡାକ୍ତର ଆପଣଙ୍କୁ ମାଂସ ଖାଇବାକୁ ବି କହୁଛନ୍ତି । ଆମିଷ ଖାଦ୍ୟ ଆପଣଙ୍କ ଶରୀରକୁ ପୁଷ୍ଟ କରୁଛି । ହଁ...

କିନ୍ତୁ...

ଆମିଷ ଖାଦ୍ୟ ଖାଉଥିବାରୁ ଆପଣ ସୁସ୍ଥ ଅଛନ୍ତି କି ?

ଆମିଷ ଖାଦ୍ୟ ଆପଣଙ୍କୁ ନିରୋଗ କରିପାରିଛି କି ?

ଆମିଷ ଖାଦ୍ୟରୁ ଆହରଣ କରିଥିବା ଶକ୍ତିକୁ ଉପଯୋଗ କରିପାରିଛନ୍ତି କି ?

ଆପଣ ଆମିଷ ଖାଦ୍ୟ ଖାଇ ସନ୍ତୋଷ ଅନୁଭବ କରିଛନ୍ତି କି ?

ଆପଣ ଆମିଷ ଖାଇବେ କିମ୍ବା ନଖାଇବେ ଏହି ନିଷ୍ପତ୍ତି ଆପଣଙ୍କର । କେହି ଆପଣଙ୍କୁ ଆମିଷ ନଖାଇବା ପାଇଁ ବାଧ୍ୟ କରିପାରିବେ ନାହିଁ । କିନ୍ତୁ ସାମଗ୍ରିକ ମାନବିକ ଅନୁଭବ ଅନୁସାରେ ଆମିଷ ଖାଦ୍ୟ ଉଭୟ ଶାରୀରିକ ଓ ମାନସିକ ଅସନ୍ତୁଳନ ବଢ଼ାଇଥାଏ । ସ୍ଥିରତା, ସମ୍ବେଦନଶୀଳତା ନାଶ କରିବା ସହ ମଣିଷକୁ ଅତୃପ୍ତ, ବିକାରଗ୍ରସ୍ତ ଓ ହିଂସ୍ର କରିଥାଏ । ଖାଦ୍ୟ ଗୁଣ ହିଁ ମନରେ ବିଚାର ସୃଷ୍ଟି କରିଥାଏ । ରାଜସିକ ଓ ତାମସିକ ଖାଦ୍ୟ ଭକ୍ଷଣ କଲେ ମନରେ ସାତ୍ତ୍ବିକ ବିଚାର ହିଁ ଉଦ୍ଭବ ହୋଇନଥାଏ ।   

ଯୋଗୀ ଆମିଷ ଖାଆନ୍ତି ନାହିଁ କାହିଁକି?

ପ୍ରାଚୀନ କାଳରୁ ଭାରତୀୟ ମୁନି, ଋଷି ଖାଦ୍ୟ ଓ ଶରୀରକୁ ଅତି ସୁଷ୍ମ ସ୍ତରରେ ଅନୁଧ୍ୟାନ କରିବା ସହ ମାନବ ଶରୀର ପାଇଁ ଉତ୍ତମ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି । ଭାରତରେ ଉତ୍ପନ୍ନ ଶସ୍ୟ, ଶରୀର ଉପରେ ଖାଦ୍ୟର ପ୍ରଭାବକୁ ନେଇ କରିଛନ୍ତି ଗହନ ଗବେଷଣା । ଯାହା ଆୟୁର୍ବେଦ ଶାସ୍ତ୍ରରେ ସ୍ଥାନିତ ହୋଇଛି । ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି । ଯଥା - ସାତ୍ତ୍ବିକ, ତାମସିକ ଓ ରାଜସିକ । 

ଖାଦ୍ୟ କେବଳ କ୍ଷୁଧା ପୂରଣ ବା ସ୍ବାଦ ଇନ୍ଦ୍ରୀୟକୁ ସନ୍ତୁଷ୍ଟ ପାଇଁ ନୁହେଁ ବରଂ ଖାଦ୍ୟ ଆପଣଙ୍କ ଶରୀର ମଧ୍ୟ ନିର୍ମାଣ କରିଥାଏ । ତେଣୁ ଜୀବନର ସ୍ତର, କାର୍ଯ୍ୟ ଆଧାରରେ ମଣିଷକୁ ଖାଦ୍ୟ ଚୟନ ପାଇଁ ପରାମର୍ଶ ଦେଇଥିଲେ ମୁନି, ଋଷି । ସମସ୍ତେ ଆମିଷ ଖାଦ୍ୟ ଖାଇବାର କୌଣସି ଆବଶ୍ୟକତା ନାହିଁ, କିମ୍ବା ସମସ୍ତେ ନିରାମିଷ ଭୋଜନ କରିବାକୁ କୁହାଯାଇନାହିଁ । 

ଖାଦ୍ୟ ଶରୀର ଗଠନ ସହ ମନକୁ ଗଭୀର ଭାବେ ପ୍ରଭାବିତ କରିଥାଏ । ସାତ୍ତ୍ବିକ ଆହାର କାରଣରୁ ମନ ନିୟନ୍ତ୍ରିତ ହେବା ସହ ଶୁଦ୍ଧ ବିଚାର ଉତ୍ପନ୍ନ ହେଉଥିବାବେଳେ ତାମସିକ ଓ ରାଜସିକ ଖାଦ୍ୟ ମନରେ ଅଶୁଦ୍ଧ ବିଚାର ସୃଷ୍ଟି କରୁଥିବାରୁ ମଣିଷ ଜୀବନର ଲକ୍ଷ୍ୟ ଆଧାରରେ ଖାଦ୍ୟ ଚୟନ କରିବାକୁ ପରାମର୍ଶ ଦେଇଥିଲେ ମୁନି । ଏହି କାରଣରୁ ଯୋଗୀ ଆମିଷ ଖାଦ୍ୟ ଗ୍ରହଣ କରିନଥାନ୍ତି । ଯୋଗ କରିବାର ଲକ୍ଷ୍ୟ ଭ୍ରଷ୍ଟ ନହେବା ପାଇଁ ଯୋଗ ସାଧକ ଆମିଷ ସହ ଅନ୍ୟ ତାମସିକ ଓ ରାଜସିକ ପର୍ଯ୍ୟାୟର ଖାଦ୍ୟ ଗ୍ରହଣ କରିନଥାନ୍ତି ।     

ମୂଳ କାରଣକୁ ନବୁଝି ବର୍ତ୍ତମାନ ସମୟରେ ତଥାକଥିତ ଶିଷିତ ବର୍ଗ ଶରୀର ପାଇଁ ଆମିଷ ଖାଦ୍ୟର ଆବଶ୍ୟକତା ଥିବା ଦାବି କରୁଥିବାବେଳେ ଅନ୍ୟ ଏକ ଗୋଷ୍ଠୀ ଆମିଷ ଶରୀର ପାଇଁ ଅନୁପଯୁକ୍ତ ଓ କ୍ଷତିକାରକ ବୋଲି କହିଥାନ୍ତି । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ ।

ଏକଦା ଭାରତରେ ପ୍ରାୟ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନତା ନିରାମିଷ ଭୋଜନ ଗ୍ରହଣ କରୁଥିବାବେଳେ ଏବେ ଏହି ସଂଖ୍ୟା ୧୦ ପ୍ରତିଶତରୁ କମ୍ ରହିଛି । ଆଧୁନିକ ସ୍ବାସ୍ଥ୍ୟ ବିଜ୍ଞାନ ଅନୁସାରେ ଆମିଷ ଖାଦ୍ୟରେ ପ୍ରଚୁର ପରିମାଣରେ ପ୍ରୋଟିନ, ଭିଟାମିନ ମହଜୁଦ ଥିବା ଦାବି କରାଯାଏ । ଅପର ପକ୍ଷରେ ଆମିଷ ଖାଦ୍ୟ କାରଣରୁ ଶରୀର ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ମଧ୍ୟ ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱୀକାର କରନ୍ତି । 

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଆମିଷ ଖାଦ୍ୟକୁ ନେଇ ଉଚ୍ଚସ୍ତରୀୟ ଗବେଷଣା ହୋଇଛି । ଏକଥା ମଧ୍ୟ ପ୍ରମାଣିତ ହୋଇସାରିଛି ଯେ- ଆମିଷ ଖାଦ୍ୟଠାରୁ ଉଦ୍ଭିଦଜାତ ଖାଦ୍ୟ ବା ସବୁଜ ପନିପରିବାରେ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଛି । ମାନବ ଶରୀର ଗଠନ, ନିରାମିଷ ଖାଦ୍ୟ ଗ୍ରହଣ ପାଇଁ ହିଁ ଉପଯୁକ୍ତ ।  ଶରୀରର କ୍ଷୁଧା ଦୂର କରିବା ପାଇଁ ମଣିଷ ଆମିଷ ଖାଦ୍ୟ ଗ୍ରହଣ କରି ପାରନ୍ତି, କିନ୍ତୁ ଶରୀର ଓ ମନର ଉପଯୁକ୍ତ ବିକାଶରେ ଆମିଷ ଖାଦ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ ।  ଗୀତା, ଉପନିଷେଦରେ ସୁଦ୍ଧ ଆହାର ବା ସାତ୍ତ୍ବିକ ଖାଦ୍ୟ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଛି । ବାସ୍ତବରେ ଖାଦ୍ୟ ଅନୁସାରେ ମନର ବିଚାର ମଧ୍ୟ ନିର୍ମାଣ ହୋଇଥାଏ । ଖାଦ୍ୟ ସୁଦ୍ଧ ନହେଲେ ମନ ମଧ୍ୟ ଶୁଦ୍ଧ ହୋଇପାରିବ ନାହିଁ ।

अन्नमयं ही सोम्य मनः।   जैसा खाये अन्न, वैसा बने मन। जैसा पिये पानी, वैसी बने वाणी। 

Also Read: Scientific Benefits of Yoga: ଯୋଗ ଦୂର କରେ ରୋଗ

ଖାଦ୍ୟ ଶରୀର ଗଠନର ମୂଳ ଉତ୍ସ

ଆଜି ବିଜ୍ଞାନ ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଛି, ହଜାର ହଜାର ବର୍ଷ ପୂର୍ବରୁ ଆୟୁର୍ବେଦରେ ଏହାର ପ୍ରାଞ୍ଜଳ ବର୍ଣ୍ଣନା ରହିଛି । ଖାଦ୍ୟ କେବଳ ଶରୀର  କ୍ଷୁଧା ନିର୍ବାପନ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ଶରୀର ଗଠନର ମୂଳପିଣ୍ଡ ହୋଇଥିବାରୁ ଉପଯୁକ୍ତ ଖାଦ୍ୟ ଗ୍ରହଣକୁ ଆୟୁର୍ବେଦରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।

ପ୍ରତି ଖାଦ୍ୟ, ଶରୀର ପ୍ରତି ଭିନ୍ନ ପ୍ରଭାବ ପକାଇଥାଏ । ମଣିଷର ମାନସିକ ସ୍ଥିତି, ଭାବନା, କର୍ମ ମଧ୍ୟ ଖାଦ୍ୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସେଥିପାଇଁ ଆୟୁର୍ବେଦ ଅନୁସାରେ Right Thought, Right Action, Right Emotion ପାଇଁ Right Food ଚୟନ ଜରୁରୀ ।  ଆଧୁନିକ ଚିକିତ୍ସା ବିଜ୍ଞାନରେ ଖାଦ୍ୟ କିପରି ମଣିଷର ଚିନ୍ତା ଓ ଭାବନାକୁ ପ୍ରଭାବିତ କରିଥାଏ ଏହାର ଅନୁଧ୍ୟାନ ହେଉଛି । ମନର ଭାବନା, ଶରୀରରେ ରୋଗ ସୃଷ୍ଟି କରୁଥିବା ପ୍ରମାଣିତ ହୋଇଛି । ଯାହାକୁ ସାଇକୋସୋମାଟିକ୍ (Psychosomatic) ବୋଲି କୁହାଯାଉଛି ।

ପ୍ରାଚୀନ କାଳରେ ଭାରତୀୟଙ୍କ ଜୀବନ ଶୈଳୀ, ଖାଦ୍ୟ ଚୟନ ହିଁ ବାସ୍ତବରେ ବିଜ୍ଞାନ ସମ୍ମତ ହିଁ ଥିଲା । ଏପରିକି ଆଧୁନିକ ଚିକିତ୍ସା ବିଜ୍ଞାନରେ ଯେଉଁ ବିଷୟବସ୍ତୁକୁ ନେଇ ଗବେଷଣା ଜାରି ରହିଛି, ତାହାର ଫଳାଫଳ ମଧ୍ୟ ବେଦ ପୃଷ୍ଠାରେ ସ୍ଥାନିତ ହୋଇସାରିଛି । ଯାହା ବିଜ୍ଞାନୀଙ୍କୁ ଚକିତ କରିଛି ।  ବୈଦିକ କାଳରେ ଭାରତୀୟ ମୁନୀ, ଋଷି ସମାଜ, ସ୍ୱାସ୍ଥ୍ୟ, ଜୀବନଧାରାକୁ ନେଇ ଅତି ସୂକ୍ଷ୍ମ ସ୍ତରରେ ଅନୁଧ୍ୟାନ କରୁଥିଲେ ଓ ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ମାର୍ଗଦର୍ଶନ କରାଉଥିଲେ ।    

ଭାରତୀୟମାନେ ଆମିଷ ଖାଉନଥିଲେ କାହିଁକି?

ବୈଦିକ କାଳରେ ଭାରତୀୟ ଲୋକେ ଯୋଗ ଓ ଆୟୁର୍ବେଦକୁ ଜୀବନର ଅଭିନ୍ନ ଅଙ୍ଗ ଭାବେ ଗ୍ରହଣ କରିନେଇଥିଲେ । ଶରୀରର ତିନିଦୋଷ (ବାତ୍ତ, ପିତ୍ତ ଓ କଫ)କୁ ନିୟନ୍ତ୍ରଣ କରିବା ପାଇଁ ସଚେତନ ଭାବେ ଖାଦ୍ୟ ଗ୍ରହଣ କରୁଥିଲେ । ଉଭୟ ଶାରୀରିକ ସ୍ୱାସ୍ଥ୍ୟ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ସାତ୍ତ୍ୱିକ ଆହାର ସର୍ବୋତ୍ତମ ପ୍ରମାଣିତ ହୋଇଥିବାରୁ ସ୍ୱାସ୍ଥ୍ୟ ପ୍ରତି ସତେତନ ଲୋକେ ତାମସ ଓ ରାଜସ ଆହାର ତ୍ୟାଗ କରୁଥିଲେ । କାରଣ ତାମସିକ ଓ ରାଜସିକ ଖାଦ୍ୟ ହଜମ ପାଇଁ ସାତ୍ତ୍ୱିକ ଖାଦ୍ୟ ତୁଳନାରେ ଅଧିକ ସମୟ ଲାଗୁଥିଲା । ଦ୍ୱିତୀୟତଃ ଆୟୁର୍ବେଦ ଅନୁସାରେ ଗ୍ରହଣ କରୁଥିବା ଖାଦ୍ୟ ହଜମ ପୂର୍ବରୁ ଦ୍ୱିତୀୟବାର ଖାଦ୍ୟ ଗ୍ରହଣକୁ ବାରଣ କରାଯାଉଥିଲା । ଏଥିପାଇଁ ଖାଦ୍ୟ ଖାଇବା ପରେ  ପୁଣିଥରେ ଖାଦ୍ୟ ଖାଇବା ମଧ୍ୟରେ ୮ ଘଣ୍ଟାରୁ ଅଧିକ ସମୟ ବ୍ୟବଧାନ ରଖିବାକୁ ପରାମର୍ଶ ଦେଉଥିଲେ । ଗରିଷ୍ଠ ଜାତୀୟ ଖାଦ୍ୟ ଖାଇଥିଲେ ୧୨ରୁ ୧୮ଘଣ୍ଟା ପରେ ପୁନଃ ଖାଦ୍ୟ ଖାଇବାକୁ ମୁନି, ଋଷି ବୁଝାଉଥିଲେ । 

ଜୀବନରେ ଉଚାଙ୍ଗ ଲକ୍ଷ୍ୟ ହାସଲ ପାଇଁ ଓ ଶରୀରକୁ ଉପଯୁକ୍ତ ମାଧ୍ୟମ ଭାବେ ଗଢ଼ି ତୋଳିବା ପାଇଁ କେବଳ ପ୍ରାଣିକ ଆହାର କରୁଥିଲେ ଶିକ୍ଷାର୍ଥୀ । ଯାହା ଶରୀର ସହ ମନର ସନ୍ତୁଳିତ କରୁଥିଲା ।  ଏହାପରେ ବି ବାହ୍ୟ ଉତ୍ସରୁ କ୍ୱଚିତ ଶରୀର ସଂକ୍ରମଣ ସମୟରେ ଆୟୁର୍ବେଦ ଚିକିତ୍ସା ଦ୍ୱାରା ଲୋକେ ଆରୋଗ୍ୟ ହେଉଥିଲେ । 

    Right food-thought-action-emotion | Yogashree

Also Read: Science-Based Benefits of Yoga: ପରିବର୍ତ୍ତନ ନୁହେଁ, ମନ ଓ ଶରୀରର ପୁନଃ ନିର୍ମାଣ କରେ ଯୋଗ 

ଯୋଗଶାସ୍ତ୍ରରେ ନିୟମିତ ଯୋଗ ସାଧନା ସହ ଖାଦ୍ୟ ପ୍ରତି ସତେତନ ରହିବା ପାଇଁ  କୁହାଯାଇଛି । ଅଷ୍ଟାଙ୍ଗ ଯୋଗର ପ୍ରଥମ ପର୍ଯ୍ୟାୟରେ ବାହ୍ୟ ଅନୁଶାସନ ବା ସଂଯମ ( ଯମ)  ଓ ଅନ୍ତ ଅନୁଶାସନ (ନିୟମ) ରକ୍ଷା ନିମିତ୍ତ ସାଧନା କରାଯାଏ । ଯୋଗ ସାଧନାର ପ୍ରାରମ୍ଭିକ ପର୍ଯ୍ୟାୟରେ ସାଧକଙ୍କୁ ସଂଯମତା ଶିକ୍ଷା ଦିଆଯାଇଥାଏ ।

  • କିପରି ବସିବା ଉଚିତ | How to Sit?
  • କିପରି ଶ୍ୱାସକ୍ରିୟା ସମ୍ପାଦନ କରିବା ଉଚିତ | How to Brith?
  • କିପରି ଖାଦ୍ୟ ଗ୍ରହଣ କରିବା ଉଚିତ | How to Eat?
  • କିପରି ଶୟନ କରିବା ଉଚିତ | How to Sleep?

Also Read: Yoga at Home: କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ କରନ୍ତୁ ଏହି ଆସନ

ଏବେ ବିଶ୍ୱରେ ସାତ୍ତିକ ବା ଶାକାହାରୀ ଭୋଜନ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି । ଭାରତର ପାରମ୍ପରିକ ଶାକାହାରୀ ଭୋଜନ ପ୍ରଣାଣିକୁ ନେଇ ବିଶ୍ୱବାସୀ ସଚେତନ ହେଉଛନ୍ତି । ଭାରତରେ ଶାକାହାରୀମାନେ ଖାଦ୍ୟରେ ମାଂସ, ଅଣ୍ଡା, ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର କରନ୍ତି ନାହିଁ । ନିରାମିଷ ଖାଦ୍ୟ  ଶରୀରକୁ ନିରୋଗ ରଖୁଥିବା ଗବେଷଣାରୁ ମଧ୍ୟ ପ୍ରମାଣ ସିଦ୍ଧ ହୋଇଛି । ଏଥିପାଇଁ ନିରାମିଷ ଖାଦ୍ୟର ଉପକାରିତା ବିଷୟରେ ବିଶ୍ୱବାସୀଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବିଶ୍ୱ ଭେଗାନ୍ ଡେ ପାଳିତ ହେଉଛି ।

ସାତ୍ତ୍ବିକ ଖାଦ୍ୟ ଗ୍ରହଣର ଲାଭ

୧. ସାତ୍ତିକ ଖାଦ୍ୟରେ ଅଧିକ ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଏବଂ ପୋଷକ ତତ୍ତ୍ୱ ରହିଥିିବାରୁ ଶରୀରକୁ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, ଫୋଲେଟ୍, ଭିଟାମିନ୍-ଏ, ଭିଟାମିନ୍-ସି ଏବଂ ଭିଟାମିନ୍-ଇ ମିଳିଥାଏ । ଏହିସବୁ ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 
୨. ସାତ୍ତ୍ବିକ ଖାଦ୍ୟ ହୃଦୟକୁ ସୁସ୍ଥ ରଖୁଥିବାରୁ ହୃଦଘାତ ପରି ସାଙ୍ଘାତିକ ରୋଗ ଆଶଙ୍କା ପ୍ରାୟ ନଥାଏ । ଶରୀରରେ କୋଲେଷ୍ଟ୍ରଲ ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
୩. ସାତ୍ତିକ ଖାଦ୍ୟ ଗ୍ରହଣ କରିବା ଫଳରେ ଶରୀରରେ ଓଜନ ବଢ଼ିବା ଆଶଙ୍କା ପ୍ରାୟ ନଥାଏ ।
୪. ସାତ୍ତ୍ବିକ ଖାଦ୍ୟ ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 

ଶରୀର ପାଇଁ ଆମିଷ ଭକ୍ଷଣର ଆବଶ୍ୟକତା ରହିଛି କି ?  

ଯଦି ଏହି ପ୍ରଶ୍ନର ଆପଣ ଉତ୍ତର ଖୋଜିବେ, ସଠିକ୍ ଉତ୍ତର ମିଳିବା ଅସମ୍ଭବ । କାରଣ ଆବଶ୍ୟକତା, ଅଭ୍ୟାସ, ଭୌଗଳିକ ସ୍ଥିତି, ସାମାଜିକ ସ୍ଥିତିକୁ ନେଇ ମଣିଷ ଖାଦ୍ୟ ଚୟନ କରିଥାଏ । ଜନ୍ମ ହେବା ପରେ ଆମେ କଣ ଖାଇବା, ତାହା ଆମେ ଚୟନ କରିନଥିଲେ । ଆମକୁ ଯାହା ଖୁଆଇ ଦିଆଯାଉଥିଲା, ତାକୁ ହିଁ ଆମେ ଖାଦ୍ୟ ମନେ କରୁଥିଲେ । ଯେଉଁଠି, ଯେଉଁ ସ୍ଥାନରେ ଯେଉଁ ଖାଦ୍ୟ ଉପଲବ୍ଧ, ତାହା ମଣିଷ ଗ୍ରହଣ କରିଥାଏ । ଉଦାହରଣ ସ୍ବରୂପ ଆଫ୍ରିକୀୟ ମହାଦେଶରେ ଶିଶୁ ଖାଦ୍ୟ ଓ ଭାରତରେ ଶିଶୁ ଖାଦ୍ୟ ସମ୍ପୂର୍ଣ୍ଣ ଭିନ୍ନ । 

ସାଧାରଣ ଭାବେ ଖାଦ୍ୟ ଗ୍ରହଣ ସମୟରେ ଶରୀରର ଆବଶ୍ୟକତା ବଦଳରେ ଆମେ ବରଂ ପୂର୍ବ ଅଭିଜ୍ଞତା ଓ ସ୍ବାଦ ଆଧାରରେ ଖାଦ୍ୟ ଚୟନ କରିଥାନ୍ତି । ହୋଇପାରେ ଉତ୍ତମ ପର୍ଯ୍ୟାୟର ଖାଦ୍ୟ ଉପଲବ୍ଧ ଥିଲେ ବି ସ୍ବାଦନ୍ଦ୍ରୀୟର ପ୍ରଭାବରେ  ଆମେ ଖାଦ୍ୟ ଚୟନ କରିଥାନ୍ତି ।

ବିଶ୍ବରେ ସାତ୍ତ୍ବିକ ଖାଦ୍ୟ ଗ୍ରହଣକାରୀଙ୍କ ସଂଖ୍ୟା ନଗଣ୍ୟ

ସାତ୍ତ୍ବିକ ବା ଶାକାହାରୀ ଶବ୍ଦର ବାସ୍ତବ ଅର୍ଥ ଯେଉଁମାନେ ପଶୁ ଉତ୍ସରୁ ମିୁଳୁଥିବା କୌଣସି ବି ଖାଦ୍ୟ ଯଥା ମାଛ, ମାଂସ, ସାମୁଦ୍ରିକ ଖାଦ୍ୟ, ଦୁଗ୍ଧ, ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି ନାହିଁ । ଖାଦ୍ୟ ପାଇଁ କେବଳ ଉଦ୍ଭିଦ ଉତ୍ସ ଉପରେ ନିର୍ଭର କରିଥାନ୍ତି । ଭାରତରେ ଏବେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ମାଂସ, ମାଛ, ଅଣ୍ଡା ଖାଉନଥିଲେ ବି ଦୁଗ୍ଧଜାତ ଖାଦ୍ୟ ଗ୍ରହଣ କରିଥାନ୍ତି । ଏହି ବର୍ଗକୁ ପ୍ରଚ୍ଛନ୍ନ ଶାକାହାରୀ କୁହାଯାଇପାରେ ।

ସାତ୍ତ୍ବିକ ବର୍ଗୀକରଣ 

ସମ୍ପୂର୍ଣ୍ଣ ସାତ୍ତ୍ବିକ (Vegans  OR Total Vegetarians): ଯେଉଁମାନେ ପଶୁ ଉତ୍ସରୁ ମିଳୁଥିବା କୌଣସି ବି ଖାଦ୍ୟ ଗ୍ରହଣ କରନ୍ତି ନାହିଁ । 
ପ୍ରଚ୍ଛନ୍ନ ସାତ୍ତ୍ବିକ (Lacto Vegetarians): ଯେଉଁମାନେ ମାଂସ, ମାଛ ଓ ଅଣ୍ଡା ଖାଇନଥାନ୍ତି, କିନ୍ତୁ ଦୁଗ୍ଧଜାତ ଖାଦ୍ୟ ଗ୍ରହଣ କରନ୍ତି । 
ସାମାନ୍ୟ ସାତ୍ତ୍ବିକ (Ovo Vegetarians): ଯେଉଁମାନେ ମାଂସ, ମାଛ ଓ ଦୁଗ୍ଧଜାତ ଖାଦ୍ୟ ଖାଆନ୍ତି କିନ୍ତୁ ଅଣ୍ଡା ଖାଆନ୍ତି ନାହିଁ ।
ଆଂଶିକ ସାତ୍ତ୍ବିକ (Partial vegetarians Or Pollo Vegetarian): ଯେଉଁମାନେ ମାଂସ ବ୍ୟତୀତ ଅନ୍ୟ ସମସ୍ତ ପଶୁ ଉତ୍ସ ଖାଦ୍ୟ ଖାଇଥାନ୍ତି ।

ସାତ୍ତ୍ବିକ ଖାଦ୍ୟର ସ୍ୱାସ୍ଥ୍ୟଗତ ଉପକାର 

ଆୟୁର୍ବେଦ ଅନୁସାରେ ଆମିଷ ଅପେକ୍ଷା ନିରାମିଷ ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତି ସୁସ୍ଥ ଓ ନିରୋଗ ଜୀବନ ବିତାଇଥାନ୍ତି ।  ମାନସିକ ଭାବେ ଅଧିକ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି । ସାତ୍ତ୍ବିକ ଖାଦ୍ୟ ଖାଉଥିବା ବ୍ୟକ୍ତି ମେଦବହୁଳତା, ହୃଦ୍ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ପରି ସମସ୍ୟା ସାମ୍ନା କରିନଥାନ୍ତି । 

ସାତ୍ତ୍ବିକ ଖାଦ୍ୟରୁ କିପରି ମିଳିଥାଏ ପୋଷଣ ?

ଯଦି ଆପଣ ସାତ୍ତ୍ବିକ ଖାଦ୍ୟ ଚୟନ କରୁଛନ୍ତି, ତେବେ ସନ୍ତୁଳିତ ଆହାର ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକତା ରହିଛି । 

ସାତ୍ତ୍ବିକଙ୍କ ପାଇଁ ପ୍ରୋଟିନ୍ ଉତ୍ସ 

ଶାରୀରିକ ପ୍ରକ୍ରିୟା ଯେପରିକି ଟିସୁ ଗଠନ ଓ କ୍ଷତପୂରଣ ପାଇଁ ପ୍ରୋଟିନର ଆବଶ୍ୟକତା ରହିଛି । ପ୍ରୋଟିନ ହିଁ ଶରୀରରେ ଆମିନୋ ଏସିଡ ବିଲ୍ଡିଂ ବକ୍ସ ନିର୍ମାଣ କରିଥାଏ । ଶରୀରରେ ଦୁଇ ପ୍ରକାରର ଆମିନୋ ଏସିଡ ରହିଥାଏ । ଶରୀର ଦ୍ୱାରା ନନ୍ ଏସିନ୍ସିଆଲ ଆମିନୋ ଏସିଡ ତିଆରି ହେଉଥିବାବେଳେ କିଛି ଆବଶ୍ୟକୀୟ ଆମିନୋ ଏସିଡ ଖାଦ୍ୟରୁ ମିଳିଥାଏ ।

ଖାଦ୍ୟ ଏପରି ଚୟନ କରନ୍ତୁ ଯେପରିକି ସନ୍ତୁଳିତ ଶାକାହାରରୁ ସମସ୍ତ ୯ ପ୍ରକାର ଆମିନୋ ଏସିଡ ପ୍ରାପ୍ତ ହୋଇପାରିବ । ଯଦିଓ ଅଧିକାଂଶ ଖାଦ୍ୟରେ ପୂର୍ଣ୍ଣ ପ୍ରୋଟିନ ଉପଲବ୍ଧ ନଥାଏ । ତେଣୁ ଉପଯୁକ୍ତ ପୋଷଣ ପାଇଁ ଦୈନିକ ଭୋଜନରେ ସବୁଜ ପନିପରିବା ସହିତ ଫଳ ଓ ନଟ୍ସକୁ ସାମିଲ କରିବା ଆବଶ୍ୟକ ।

ଯୋଗୀ ପିଆଜ, ରସୁଣ ଖାଆନ୍ତି ନାହିଁ କାହିଁକି?

ଆୟୁର୍ବେଦରେ ଶରୀରର ତ୍ରିଦୋଷ ସନ୍ତୁଳନ ସହିତ ପ୍ରତି ସମୟରେ ଶରୀରରେ ପିଙ୍ଗଳା (ଶରୀରର ଦକ୍ଷିଣ ପାର୍ଶ୍ୱ) ଓ ଇଡା (ଶରୀରର ବାମ ପାର୍ଶ୍ୱ)ର ପ୍ରଭାବକୁ ଅନୁଧ୍ୟାନ କରାଯାଏ ।  ସାତ୍ତ୍ୱିକ ଖାଦ୍ୟ ଗ୍ରହଣ ଦ୍ୱାରା ଶରୀରରେ ପଞ୍ଚକୋଷ (ଅନ୍ନମୟ କୋଷ, ମନମୟ କୋଷ, ପ୍ରାଣମୟ କୋଷ, ବିଜ୍ଞାନମୟ କୋଷ ଓ ଆନନ୍ଦମୟ କୋଷ)ର ଉଚିତ ବିକାଶ ହୋଇଥାଏ । ତେଣୁ ଶୃଙ୍ଖଳିତ ଦିନଚର୍ଯ୍ୟା ପାଇଁ ଦୈନିକ ଖାଦ୍ୟରେ ପିଆଜ (ତାମସିକ) ଓ ରସୁଣ (ରାଜସିକ)ନଖାଇବା ପାଇଁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି ।ତାମସିକ ଖାଦ୍ୟ ବିରକ୍ତିକର ଅନୁଭବ ସୃଷ୍ଟି କରୁଥିବାବେଳେ ରାଜସିକ ଖାଦ୍ୟ ଅଯଥା ଶକ୍ତିକ୍ଷୟ ଓ ନିଦ୍ରାହୀନତାର କାରଣ ହୋଇଥାଏ । ଦ୍ବିତୀୟତଃ ଉଭୟ ପିଆଜ ଓ ରସୁଣ ଔଷଧୀୟ ଗୁଣରେ ଭରପୁର ହୋଇଥିବାରୁ ଦୈନିକ ଭୋଜନ ଭାବେ ଗ୍ରହଣ କଲେ ଏହା ଶରୀରରେ ଅସନ୍ତୁଳନ ସୃଷ୍ଟି କରେ । ଅତ୍ୟଧିକ ଔଷଧ ସେବନ ଶରୀରକୁ ଅଧିକ ରୋଗଗ୍ରସ୍ତ କରିଥାଏ ।

ଆୟୁର୍ବେଦ ପ୍ରତି ଆସ୍ଥା ବୃଦ୍ଧିର କାରଣ କଣ?

୨୦୧୯ରୁ ୨୦୨୩ ଯାଏ କରୋନା ମହାମାରୀ ସାରା ବିଶ୍ୱବାସୀଙ୍କୁ ବୈଦିକ ଭାରତୀୟ ଜୀବନ ଦର୍ଶନ ପ୍ରତି ପୁନଃଦୃଷ୍ଟି ଦେବା ପାଇଁ ବାଧ୍ୟ କରିଛି । ଆୟୁର୍ବେଦ ପ୍ରତି ଆସ୍ଥା ବୃଦ୍ଧି ପାଇଛି । କାରଣ ଆୟୁର୍ବେଦ କୌଣସି ରୋଗ ଜୀବାଣୁ ସହ ସଂଘର୍ଷ ନୁହେଁ ବରଂ ଯେକୌଣସି ରୋଗକୁ ପ୍ରତିହତ କରିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।  କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟକୁ ନେଇ ବିଶ୍ୱବାସୀଙ୍କ ଚେତନାରେ ପରିବର୍ତ୍ତନ ଆଣିବା ସହ, ସୁସ୍ଥ ଜୀବନଯାପନ ପାଇଁ ମହାଅସ୍ତ୍ର ବନିଛି ଆୟୁର୍ବେଦ ।

ବିଶ୍ୱ ଚିକିତ୍ସା ବିଜ୍ଞାନର ଉଦ୍ୟମ ଫଳରେ କରୋନାର ପ୍ରଭାବ ହ୍ରାସ ପାଇଥିବାବେଳେ ଏକାଧିକ ନୂଆ ଭୂତାଣୁ ଓ କରୋନା ଚିକିତ୍ସାର ପ୍ରଭାବ ଚିକିତ୍ସା ବିଜ୍ଞାନୀଙ୍କ ଚିନ୍ତା ବଢ଼ାଇଥିଲା । ଏପରିକି ୨୦୨୩ରେ ଚୀନରେ ପେରାସାଇଟ ସୁପରବଗ୍ କୁ ନେଇ ଚେତାବନୀ ଜାରି ହୋଇଥିଲା । ମୁଖ୍ୟତଃ ଆମିଷ ଖାଦ୍ୟ ହିଁ ଏହି ସୁପର ବଗ୍ ସଂକ୍ରମଣ ବୃଦ୍ଧିର କାରଣ ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ ସନ୍ଦେଶ ଜାରି କରିଥିଲା ।  ଶରୀରରେ ବାରମ୍ବାର ଆଣ୍ଟି-ବାୟୋଟିକ ଔଷଧ ପ୍ରୟୋଗର କୁପ୍ରଭାବ ଏବେ ଦେଖିବାକୁ ମିଳୁଛି ।  ଶରୀରରେ ଅଧିକ ମାତ୍ରାରେ ଆଣ୍ଟି-ବାୟୋଟିକ ପ୍ରୟୋଗ ଫଳରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି । ଯାହାଫଳରେ ଖୁବ ସହଜରେ ଶରୀର ଭୁତାଣୁ ସଂକ୍ରମିତ ହେଉଛି ।


©ପ୍ରକାଶ ରଂଜନ ପରିଡ଼ା